Hot Posts

6/recent/ticker-posts

ୟଙ୍ଗ ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ: କାଉଡୋଳା ଦଳ ଚାମ୍ପିଅନ, ବିଧାୟକଙ୍କ ବ୍ୟାଟିଂରେ ଖେଳାଳିଙ୍କୁ ଉତ୍ସାହ

କୋକସରା, ୧୨/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : କୋକସରା ବ୍ଲକ ମହିମା ପଞ୍ଚାୟତ ଅନ୍ତର୍ଗତ ଡେଙ୍ଗାଗୁଡା ଗ୍ରାମରେ ୟଙ୍ଗ ଷ୍ଟାର କ୍ରିକେଟ ଆସୋସିଏସନ ପକ୍ଷରୁ ଗତ ୨୪ ତାରିଖରୁ ଆରମ୍ଭ ହୋଇଥିବା ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ରବିବାର ସ୍ଥାନୀୟ ଖେଳ ପଡ଼ିଆରେ ଉତ୍ସାହର ସହ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପଟ୍ଟଯୋଶୀ ମୁଖ୍ୟ ଅତିଥି, ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର ମୁଖ୍ୟ ବକ୍ତା ଏବଂ ଜିଲ୍ଲା ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ତ୍ରିନାଥ ଶବର, ସମିତି ସଭ୍ୟ ଘନଶ୍ୟାମ ନାଏକ, ଡୁଡୁକାଠେଙ୍ଗା ପଞ୍ଚାୟତ ସରପଞ୍ଚ ହରିପ୍ରିୟା ନାଗ, ପୂର୍ବତନ ସରପଞ୍ଚ କ୍ଷେତୁରାମ ପାତ୍ର, ଆମପାଣି ବିଜେପି ଯୁବ ମୋର୍ଚ୍ଚା ସଭାପତି ତ୍ରିଲୋକ୍ୟ ବେଶ୍ରା, ସନାତନ ସୁନାନୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଖେଳାଳିମାନଙ୍କ ମନୋବଳ ବୃଦ୍ଧି ପାଇଁ ବିଧାୟକ ଶ୍ରୀ ପଟ୍ଟଯୋଶୀ ନିଜେ ବ୍ୟାଟ ଧରି ମ୍ୟାଚର ଶୁଭାରମ୍ଭ କରିଥିଲେ। ତାଙ୍କ ଏହି ପଦକ୍ଷେପକୁ ଦର୍ଶକ ଓ ଖେଳାଳିମାନେ ବେଶ ପ୍ରଶଂସା କରିଥିଲେ। ୧୨ ଓଭର ବିଶିଷ୍ଟ ରୋମାଞ୍ଚକର ଫାଇନାଲ ମ୍ୟାଚରେ କାଉଡୋଳା ଦଳ ୧୮୫ ରନ୍ ସଂଗ୍ରହ କରିଥିଲା। ଜବାବରେ ବନ୍ଧପଡା ଦଳ ୧୪୫ ରନ୍‌ରେ ଅଲ୍‌ଆଉଟ ହୋଇଯାଇଥିଲା। ଫଳରେ କାଉଡୋଳା ଦଳ ୪୦ ରନ୍‌ରେ ବିଜୟୀ ହୋଇ ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ ମୁକୁଟ ହାସଲ କରିଥିଲା। ମ୍ୟାଚକୁ ଆଶିଷ ମହାନ୍ତି ଓ ନିଳାମ୍ବର ନାଏକ ଅମ୍ପାୟାର ଭାବେ ପରିଚାଳନା କରିଥିବା ବେଳେ ହରିଶ ମେହେର ଧାରାବିବରଣୀ ପ୍ରଦାନ କରିଥିଲେ। ଡମ୍ବରୁ ମାଝୀଙ୍କୁ 'ମ୍ୟାନ୍ ଅଫ୍ ଦି ମ୍ୟାଚ୍' ଏବଂ ରାଜା ମାଝୀଙ୍କୁ 'ମ୍ୟାନ୍ ଅଫ୍ ଦି ସିରିଜ୍' ସମ୍ମାନ ପ୍ରଦାନ କରାଯାଇଥିଲା। ଶେଷରେ ଉପସ୍ଥିତ ଅତିଥିମାନେ ବିଜେତା କାଉଡୋଳା ଓ ଉପବିଜେତା ବନ୍ଧପଡା ଦଳକୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ। ୟଙ୍ଗ ଷ୍ଟାର କ୍ରିକେଟ ଆସୋସିଏସନର ସଭାପତି ନିଳାମ୍ବର ଛାତ୍ରୀଆ, ସମ୍ପାଦକ କିଶୋର ମେହେର ଏବଂ ସଂଘର ଅନ୍ୟ ସଦସ୍ୟମାନେ ଟୁର୍ଣ୍ଣାମେଣ୍ଟର ସଫଳ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।




କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ