ସତ୍ୟଭାମା ଗଣେଶ ଚନ୍ଦ୍ର ଉଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର
ବିଂଝାରପୁର , ୦୬/୦୬ (ପ୍ରଦୀପ କୁମାର ମଲ୍ଲିକ) : ବିଶ୍ୱ ପରିବେଶ ଦିବସ ଅବସରରେ ଜିଲ୍ଲା ପରିବେଶ ସମିତି ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ଉତ୍ସବରେ ବିଂଝାରପୁର ବ୍ଲକ ର ପୁରାତନ ଶିକ୍ଷାନୁଷ୍ଠାନ ସତ୍ୟଭାମା ଗଣେଶ ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟକୁ “ପ୍ରକୃତି ବନ୍ଧୁ ” ପୁରସ୍କାର ପ୍ରଦାନ କରାଯାଇଛି। ବିଦ୍ୟାଳୟର ଇକୋ କ୍ଲବ୍ର ଦାୟିତ୍ୱପ୍ରାପ୍ତ ତଥା ବରିଷ୍ଠ ଶିକ୍ଷକ ଶ୍ରୀ ସମରେନ୍ଦ୍ର ମାଝୀ ଙ୍କ ଦୀର୍ଘଦିନର ପରିବେଶ ସୁରକ୍ଷା, ବୃକ୍ଷରୋପଣ ଏବଂ ସଚେତନତା କାର୍ଯ୍ୟକ୍ରମ ପ୍ରତି ଅବଦାନକୁ ସ୍ୱୀକୃତି ଦେଇ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଜଗନ୍ନାଥ ବେହେରା ଙ୍କୁ ମାନପତ୍ର ସହିତ ୧୦ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ବେହେରା ମହୋଦୟ କହିଥିଲେ ଯେ, ଏହି ପୁରସ୍କାର ରାଶିକୁ ବିଦ୍ୟାଳୟ ପରିସରକୁ ଅଧିକ ସବୁଜ ଓ ସୁନ୍ଦର କରିବା ଦିଗରେ ବିନିଯୋଗ କରାଯିବ। ଏହି ଅବସରରେ ଖଣ୍ଡିତର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ବିଶ୍ୱ ପରିବେଶ ଦିବସ ଉତ୍ସବ ଆୟୋଜିତ ହୋଇଥିଲା। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦର ଆଞ୍ଚଳିକ ଅଧିକାରୀ ଶ୍ରୀ ମଦନ ମୋହନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବର ଉଦ୍ଘାଟନ କରିଥିଲେ। ଏହି ସମ୍ମାନ ସତ୍ୟଭାମା ଗଣେଶ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପରିବେଶ ସୁରକ୍ଷା କ୍ଷେତ୍ରରେ ନିରନ୍ତର କାର୍ଯ୍ୟ ଏବଂ ସମାଜରେ ସଚେତନତା ସୃଷ୍ଟି ପାଇଁ ଏକ ଗୌରବମୟ ସ୍ୱୀକୃତି ବୋଲି ସ୍ଥାନୀୟ ଶିକ୍ଷାବିତ୍ ଓ ପରିବେଶ ପ୍ରେମୀମାନେ ମତ ପ୍ରକାଶ କରିଛନ୍ତି।