କିଡନୀ ରୋଗୀଙ୍କୁ ରକ୍ତଦାନ କରି ମାନବିକତାର ପରିଚୟ ଦେଲେ ଫୁଫୁଗାଁ ସମିତି ସଭ୍ୟ ମନବୋଧ ସାନ୍ତା
ଝରିଗାଁ, ୨୪/୦୬ (ନକୁଳ ଭତରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଫୁଫୁଗାଁ ପଞ୍ଚାୟତର ସମିତି ସଭ୍ୟ ମନବୋଧ ସାନ୍ତା ଓ ସମାଜସେବୀ ମହେନ୍ଦ୍ର ପୁଜାରୀଙ୍କ ସହଯୋଗରେ ଜଣେ କିଡନୀ ରୋଗୀଙ୍କୁ ଜରୁରୀ ରକ୍ତଦାନ କରାଯାଇ ମାନବିକତାର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ଝରିଗାଁ ପଞ୍ଚାୟତର ନୂଆଗୁଡା ଗ୍ରାମର ହରାବତୀ ପନକା ଗତ ଏକ ସପ୍ତାହ ଧରି କିଡନୀ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଅଛନ୍ତି। ଚିକିତ୍ସା ସମୟରେ ତାଙ୍କର ଜରୁରୀ ରକ୍ତ ଆବଶ୍ୟକତା ପଡ଼ିଥିବା ବେଳେ ମନବୋଧ ସାନ୍ତା ଓ ମହେନ୍ଦ୍ର ପୁଜାରୀଙ୍କ ପ୍ରୟାସରେ ରକ୍ତର ବ୍ୟବସ୍ଥା କରାଯାଇଥିଲା। ଆର୍ଥିକ ଅନଟନ ମଧ୍ୟରେ ରୋଗୀଙ୍କ ଚିକିତ୍ସା ଚାଲିଥିବାରୁ ପରିବାର ବର୍ତ୍ତମାନ ବିଭିନ୍ନ ସ୍ତରର ସହଯୋଗ ଅପେକ୍ଷାରେ ରହିଛନ୍ତି। ଏପରି ସମୟରେ ରକ୍ତଦାନ କରି ଜଣେ ଅସହାୟ ରୋଗୀଙ୍କ ଜୀବନ ରକ୍ଷା ପାଇଁ ଆଗକୁ ଆସିଥିବା ମନବୋଧ ସାନ୍ତାଙ୍କ ଏହି ମାନବିକ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ଭୁୟସୀ ପ୍ରଶଂସା କରାଯାଉଛି।