Hot Posts

6/recent/ticker-posts

ସ୍ୱତନ୍ତ୍ର ସଘନ ସଂଶୋଧନ (SIR)ରେ ରାୟଗଡ ଜିଲ୍ଲାର ଉଲ୍ଲେଖନୀୟ ସଫଳତା; ଶତପ୍ରତିଶତ ଡିଜିଟାଇଜେସନ ସମ୍ପନ୍ନ

ରାୟଗଡ, ୨୪/୦୬ ( ଭି. ଗୌରି ଶଙ୍କର ରାଓ ) : ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision-SIR) କାର୍ଯ୍ୟକ୍ରମରେ ରାୟଗଡ ଜିଲ୍ଲା ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଜିଲ୍ଲାରେ ସଂଗୃହୀତ ସମସ୍ତ ମତଦାତା ସମ୍ବନ୍ଧୀୟ ତଥ୍ୟର ଶତପ୍ରତିଶତ ଡିଜିଟାଇଜେସନ ସଫଳତାର ସହ ସମ୍ପନ୍ନ ହୋଇଥିବା ବେଳେ ସମଗ୍ର ଓଡ଼ିଶାରେ ଏହି ଲକ୍ଷ୍ୟ ହାସଲ କରିବାରେ ରାୟଗଡ ଦ୍ୱିତୀୟ ଜିଲ୍ଲା ଭାବେ ସ୍ଥାନ ଅଧିକାର କରିଛି। SIR କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲାରେ ୩୦ ମଇରୁ ଘରକୁ ଘର ପରିଦର୍ଶନ ଏବଂ ଏନ୍ୟୁମେରେସନ୍ ଫର୍ମ ବଣ୍ଟନ କାର୍ଯ୍ୟ ଆରମ୍ଭ ହୋଇଥିଲା। ବୁଥ ସ୍ତରୀୟ ଅଧିକାରୀ (BLO)ମାନେ ମତଦାତାଙ୍କ ଘରକୁ ଯାଇ ତଥ୍ୟ ସଂଗ୍ରହ, ଯାଞ୍ଚ ଏବଂ ଫର୍ମ ବଣ୍ଟନ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଫର୍ମ ସଂଗ୍ରହ, ଡିଜିଟାଇଜେସନ ଓ ଭେରିଫିକେସନ କାର୍ଯ୍ୟ ତ୍ୱରିତ ଗତିରେ ସମ୍ପାଦନ କରାଯାଇଥିଲା। ଜିଲ୍ଲାର ତିନୋଟି ବିଧାନସଭା କ୍ଷେତ୍ରରେ ମୋଟ ୮୯୫ ଜଣ BLO ନିୟୋଜିତ ହୋଇଥିବା ବେଳେ ୭,୧୪,୫୦୦ଟି ଏନ୍ୟୁମେରେସନ୍ ଫର୍ମ ବଣ୍ଟନ କରାଯାଇଥିଲା। ସଂଗୃହୀତ ସମସ୍ତ ଫର୍ମର ଶତପ୍ରତିଶତ ଡିଜିଟାଇଜେସନ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଭେରିଫିକେସନ କାର୍ଯ୍ୟ ମଧ୍ୟ ସଫଳତାର ସହ ଅଗ୍ରସର ହେଉଛି। ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ନିରନ୍ତର ତଦାରଖ ଓ ମାର୍ଗଦର୍ଶନ, ନିର୍ବାଚନ ଶାଖାର ସୁଚାରୁ ପରିଚାଳନା ଏବଂ BLO, ସୁପରଭାଇଜର, ERO, AERO ତଥା ଅନ୍ୟାନ୍ୟ ନିର୍ବାଚନ କର୍ମଚାରୀଙ୍କ ସମନ୍ୱିତ ପ୍ରୟାସ ଫଳରେ ଏହି ସଫଳତା ସମ୍ଭବ ହୋଇପାରିଛି। ବର୍ତ୍ତମାନ ଡିଜିଟାଇଜେସନ ପର୍ଯ୍ୟାୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ୦୫ ଜୁଲାଇରୁ ୦୪ ଅଗଷ୍ଟ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କାର୍ଯ୍ୟ ଚାଲିବ। ଏହାପରେ ୦୨ ସେପ୍ଟେମ୍ବର ସୁଦ୍ଧା ଦାବି ଓ ଆପତ୍ତିଗୁଡ଼ିକର ନିଷ୍ପତ୍ତି ଗ୍ରହଣ କରାଯିବ ଏବଂ ୦୬ ସେପ୍ଟେମ୍ବର ୨୦୨୬ ରେ ଚୂଡ଼ାନ୍ତ ମତଦାତା ତାଲିକା ପ୍ରକାଶ କରାଯିବ। ଏହି ସଫଳତା ମତଦାତା ତାଲିକାର ସଠିକତା, ସ୍ୱଚ୍ଛତା ଓ ବିଶ୍ୱସନୀୟତାକୁ ଆହୁରି ସୁଦୃଢ଼ କରିବା ସହିତ ଆଗାମୀ ନିର୍ବାଚନ ପରିଚାଳନାକୁ ଅଧିକ କାର୍ଯ୍ୟକ୍ଷମ ଓ ନିର୍ଭୁଲ କରିବାରେ ସହାୟକ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଛି।