ବିଞ୍ଝାରପୁରରେ ନୂତନ ଭତ୍ତା ବଣ୍ଟନ, ସଭାସ୍ଥଳକୁ ଆସିଲେନି ବିଡିଓ
ବିଞ୍ଝାରପୁର, ୦୮/୦୬ (ପ୍ରଦୀପ କୁମାର ମଲ୍ଲିକ) : ବିଞ୍ଝାରପୁର ବ୍ଲକର ୨୭ଟି ପଞ୍ଚାୟତର ନୂତନ ଭାବେ ଚୟନ ହୋଇଥିବା ୨୬୭ ଜଣ ବୃଦ୍ଧ, ବୃଦ୍ଧା, ଦିବ୍ୟାଙ୍ଗ ଓ ବିଧବା ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନା ଅଧୀନରେ ଭତ୍ତା ପ୍ରଦାନ କରାଯାଇଛି। କପିଳା ପଞ୍ଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଗ୍ରାମ ମୁରବି ବାବାଜୀଚରଣ ଦାସଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଞ୍ଝାରପୁର ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀମାନଙ୍କ ହାତରେ ଭତ୍ତା ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ, ଉପାଧ୍ୟକ୍ଷ ସେକ୍ ଇର୍ସାଦ, ସ୍ଥାନୀୟ ସରପଞ୍ଚ ଦେବଦତ୍ତ ସେଠୀ ଏବଂ ସମିତି ସଭ୍ୟା ଆରତୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ବକ୍ତାମାନେ କହିଥିଲେ ଯେ, ସମାଜର ବୃଦ୍ଧ, ଅସହାୟ, ଦିବ୍ୟାଙ୍ଗ ଓ ବିଧବା ବର୍ଗଙ୍କୁ ସାମାଜିକ ସୁରକ୍ଷା ଯୋଗାଇବା ଦିଗରେ ଏହି ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଭତ୍ତା ପାଇ ହିତାଧିକାରୀମାନଙ୍କ ମୁହଁରେ ଫୁଟିଉଠିଥିବା ହସ ସରକାରଙ୍କ ଜନକଲ୍ୟାଣ ମୂଳକ କାର୍ଯ୍ୟକ୍ରମର ସଫଳତାକୁ ପ୍ରତିଫଳିତ କରୁଛି। ତେବେ ଏହି କାର୍ଯ୍ୟକ୍ରମକୁ ନେଇ ଏକ ଚର୍ଚ୍ଚାର ବିଷୟ ସାମ୍ନାକୁ ଆସିଛି। ଭତ୍ତା ବଣ୍ଟନ ଉତ୍ସବ ପାଇଁ ବିଞ୍ଝାରପୁର ବିଡିଓ ଛବିରାଣୀ ସାହୁ ସମସ୍ତ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ଓ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟାମାନଙ୍କୁ ଚିଠି ମାଧ୍ୟମରେ ଆମନ୍ତ୍ରଣ କରିଥିଲେ। କିନ୍ତୁ କାର୍ଯ୍ୟକ୍ରମ ଦିନ ସେ ନିଜେ ଅନୁପସ୍ଥିତ ରହିଥିବା ବେଳେ ବ୍ଲକ ସମାଜମଙ୍ଗଳ ଅଧିକାରୀ ମଧ୍ୟ ସଭାସ୍ଥଳରେ ଉପସ୍ଥିତ ନଥିଲେ। ଏହାକୁ ନେଇ ସ୍ଥାନୀୟ ମହଲରେ ବିଭିନ୍ନ ପ୍ରକାର ଆଲୋଚନା ଓ ଚର୍ଚ୍ଚା ଆରମ୍ଭ ହୋଇଛି l