ଦୁତୀପଡା ଗ୍ରାମ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ
ଖଜୁରୀପଡ଼ା, ୦୮/୦୬ ( ଅଚ୍ୟୁତ ଜାନୀ ) : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦୁତୀପଡା ଗ୍ରାମ ପଞ୍ଚାୟତ ସଭାଗୃହ ଠାରେ ସୋମବାର ପଞ୍ଚାୟତ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଜନଶୁଣାଣୀ ଶିବିରରେ ଖଜୁରୀପଡ଼ା ବିଡିଓ ଶ୍ରୀ ଶୁଭ ଦତ୍ତାତ୍ରେୟ ବାହିନୀପତି ଯୋଗଦେଇ ଲୋକଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ସରପଞ୍ଚ ଶ୍ରୀମତୀ ଜାନକୀ ଜାନୀ, ତହସିଲଦାର ସୁଶ୍ରୀ ଶୁଭଶ୍ରୀ ରଥ, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ସାହୁ, ବ୍ଲକ ମଙ୍ଗଳ ଅଧିକାରୀ ରାଜେଶ ମୁର୍ମୁ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରଦ୍ଧାଞ୍ଜଳି ରାଉତ, ଏଡିଓ ମିଥୁଳ ଦିଗାଲଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଶିବିରରେ ସର୍ବମୋଟ ୨୦ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେସେଥିମଧ୍ୟରୁ ୯ଟି ବ୍ୟକ୍ତିଗତ ଏବଂ ୧୧ଟି ସାମୂହିକ ଅଭିଯୋଗ ଥିବା ଜଣାପଡ଼ିଛି। ଅଭିଯୋଗଗୁଡ଼ିକ ଗ୍ରହଣ କରିବା ପରେ ବିଡିଓ ଶ୍ରୀ ବାହିନୀପତି ସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ। ଗ୍ରାମ ପଞ୍ଚାୟତ ସ୍ତରରେ ଏଭଳି ଜନଶୁଣାଣୀ ଶିବିର ଆୟୋଜନ ହେଉଥିବାରୁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ସନ୍ତୋଷ ପ୍ରକାଶ ପାଇଥିବା ବେଳେ ବୁଦ୍ଧିଜୀବୀ ମହଲ ପକ୍ଷରୁ ପ୍ରଶାସନର ଏହି ପଦକ୍ଷେପକୁ ପ୍ରଶଂସା କରାଯାଇଛି।