ଜନ୍ମଦିନରେ ରକ୍ତଦାନ କରି ଶିଶୁକନ୍ୟାର ଜୀବନ ରକ୍ଷା କଲେ ଜୟକୃଷ୍ଣ
ଭଞ୍ଜନଗର, ୬/୬ ( ନବଦୂତ ) : ବର୍ତ୍ତମାନ ସମୟରେ ପ୍ରବଳ ଖରା ଓ ଗରମ ଗୁଳୁଗୁଳି କାରଣରୁ ସମସ୍ତ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ରହିଛି। ରକ୍ତଦାନ ଶିବିରର ମଧ୍ୟ ଆୟୋଜନ ହୋଇ ପାରୁନାହିଁ।ଯାହା ଫଳରେ ରୋଗୀମାନେ ଠିକ ଭାବେ ରକ୍ତ ପାଇ ପାରୁ ନାହାଁନ୍ତି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ମଧ୍ୟ ଏଭଳି ସମସ୍ୟା ଦେଖା ଦେଇଛି।ପଟାଙ୍ଗି ଗ୍ରାମର ହରିବନ୍ଧୁ ଖିଲାରଙ୍କ ୭ବର୍ଷର ଝିଅ ଖୁସି ଖିଲାର ରକ୍ତ ଶିକୁଳି ରୋଗରେ ଆକ୍ରାନ୍ତ ହୋଇଥିବାରୁ ତାକୁ ଭଞ୍ଜନଗର ମେଡ଼ିକାଲ ରେ ବର୍ତ୍ତି କରିଥିଲେ। ହେଲେ ଦିନ ତମାମ ଝିଅ ପାଇଁ ବି- ପଜିଟିଭି ରକ୍ତ ଟିଏ ଯୋଗାଡ଼ କରିବାରେ ହରିବନ୍ଧୁ ସଫଳ ହୋଇ ନଥିଲେ। ଭଞ୍ଜନଗର ବରିଷ୍ଠ ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକଙ୍କର ଶୁକ୍ରବାର ଜନ୍ମଦିନ ଥିବାରୁ ସେ ରକ୍ତଦାନ କରିବାକୁ ମନସ୍ଥ କରିଥିଲେ। ଶେଷରେ କୌଣସି ସୂତ୍ରରୁ ଖବର ପାଇ ହରିବନ୍ଧୁ ସାମ୍ବାଦିକ ଜୟକୃଷ୍ଣଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ସେ ଆସି ରକ୍ତଦାନ କରିଥିଲେ। ଯାହା ଫଳରେ ଜଣେ ଛୋଟ ଶିଶୁକନ୍ୟା ଉପକୃତ ହୋଇପାରିଛି। ଏଥି ପୂର୍ବରୁ ଜୟକୃଷ୍ଣ ୭୮ଥର ରକ୍ତଦାନ କରି ଶ୍ରେଷ୍ଠ ରକ୍ତଦାତା ଭାବେ ପୁରସ୍କୃତ ହୋଇ ସାରିଛନ୍ତି। ତାଙ୍କର ଏଭଳି ମହାନ କାର୍ଯ୍ୟ ଲାଗି ହରିବନ୍ଧୁଙ୍କ ପରିବାର ଜୟକୃଷ୍ଣଙ୍କୁ କୃତଜ୍ଞତା ଜଣାଇଛନ୍ତି।