Hot Posts

6/recent/ticker-posts

ଦୋଳି ଖେଳ, ରଜ ଗୀତ ଓ ପିଠା ପଣାରେ ଉତ୍ସବମୁଖର ହେଲା ଗ୍ରାମାଞ୍ଚଳ

ଝରିଗାଁ, ୧୪/୦୬ ( ନକୁଳ ଭତରା ) : ଗଣପର୍ବ ରଜ ଆଜି ଝରିଗାଁ ଅଞ୍ଚଳରେ ବେଶ୍ ଆନନ୍ଦ ଓ ଉତ୍ସାହର ସହିତ ପାଳିତ ହେଉଥିବା ଦେଖିବାକୁ ମିଳିଛି। ଶିଶୁ, ଯୁବକ, ଯୁବତୀ ଓ ମହିଳାମାନେ ନୂଆ ପୋଷାକ ପିନ୍ଧି ରଜ ପର୍ବକୁ ଖୁସିର ସହ ପାଳନ କରୁଥିବା ବେଳେ ବିଭିନ୍ନ ସ୍ଥାନରେ ଦୋଳି ଖେଳ, ପାରମ୍ପରିକ ଖେଳକୁଦ ଏବଂ ପିଠାପଣାର ଆସର ଜମିଥିବାରୁ ପର୍ବର ମାହୋଲ ଆହୁରି ଉତ୍ସବମୁଖର ହୋଇଉଠିଛି। ଏହି ପରମ୍ପରାକୁ ବଜାୟ ରଖି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁମାରଗୁଡ଼ା ଗ୍ରାମରେ ମଧ୍ୟ ରଜ ପର୍ବ ବେଶ୍ ଧୁମଧାମରେ ପାଳନ କରାଯାଉଛି। ଗ୍ରାମର ଶିଶୁ ଓ ଯୁବପିଢ଼ି ଦୋଳି ଖେଳିବା ସହ ପାରମ୍ପରିକ ରୀତିନୀତି ଅନୁସାରେ ରଜର ଆନନ୍ଦ ଉପଭୋଗ କରୁଥିବା ବେଳେ, ମହିଳାମାନେ ଘରେ ଘରେ ବିଭିନ୍ନ ପ୍ରକାର ପିଠା ପ୍ରସ୍ତୁତ କରି ପର୍ବର ମାହୋଲକୁ ଆହୁରି ଆନନ୍ଦମୟ କରିଛନ୍ତି। ସମଗ୍ର ଅଞ୍ଚଳରେ ରଜ ପର୍ବର ଉତ୍ସାହ ଓ ପାରମ୍ପରିକ ସଂସ୍କୃତିର ଝଲକ ସ୍ପଷ୍ଟ ଭାବେ ପରିଲକ୍ଷିତ ହେଉଛି।ରଜ ପର୍ବ କେବଳ ଏକ ପର୍ବ ନୁହେଁ, ବରଂ ଓଡ଼ିଆ ସଂସ୍କୃତି, ପରମ୍ପରା ଓ ସାମାଜିକ ସମ୍ପ୍ରୀତିର ପ୍ରତୀକ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ସମଗ୍ର ଅଞ୍ଚଳ ଉତ୍ସବମୁଖର ପରିବେଶରେ ରଜ ପର୍ବ ପାଳନ କରାଯାଇଛି।