ବିଶ୍ୱ ରକ୍ତଦାତା ଦିବସ: ରାୟଗଡ଼ାରେ ସିଆରପିଏଫ୍ ଓ କଲାମ ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର
ରାୟଗଡ଼ା, ୧୪/୦୬ ( ଭି. ଗୌରି ଶଙ୍କର ରାଓ ) : ବିଶ୍ୱ ରକ୍ତଦାତା ଦିବସ ଅବସରରେ ରାୟଗଡ଼ା ସିଆରପିଏଫ୍ ୪ର୍ଥ ବାଟାଲିୟନ ଏବଂ ଡ. ଏପିଜେ ଅବଦୁଲ କଲାମ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରକ୍ତ କେନ୍ଦ୍ରର ସହଯୋଗରେ ଆୟୋଜିତ ଏହି ଶିବିରକୁ ସିଆରପିଏଫ୍ କମାଣ୍ଡାଣ୍ଟ ଶ୍ରୀ ଫିରୋଜ କୁଜୁର ମୁଖ୍ୟ ଅତିଥି ଭାବେ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜି କମାଣ୍ଡାଣ୍ଟ ଶ୍ରୀ କୁଜୁର ଏବଂ ଦ୍ୱିତୀୟ କମାଣ୍ଡାଣ୍ଟ ଶ୍ରୀ ସଞ୍ଜୟ କୁମାର ରାଉତ ପ୍ରଥମେ ନିଜେ ରକ୍ତଦାନ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ କମାଣ୍ଡାଣ୍ଟ ଶ୍ରୀ କୁଜୁର କହିଥିଲେ ଯେ, ଜରୁରୀକାଳୀନ ପରିସ୍ଥିତିରେ ରକ୍ତର ଅଭାବ ଦୂର କରିବା ଏବଂ ମୂଲ୍ୟବାନ ଜୀବନ ରକ୍ଷା କରିବାରେ ଏଭଳି ଶିବିର ବେଶ୍ ସହାୟକ ହେବ। ଶିବିରରୁ ମୋଟ ୨୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ଓଡ଼ିଶା ରକ୍ତ କେନ୍ଦ୍ରକୁ ହସ୍ତାନ୍ତର କରାଯାଇଛି। ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୀ ବୋଗିଲି ରାଜେଶ କୁମାର ରକ୍ତଦାତାମାନଙ୍କୁ ସମାଜର "ପ୍ରକୃତ ହିରୋ" ଭାବେ ଅଭିହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦ୍ୱିତୀୟ କମାଣ୍ଡାଣ୍ଟ ପ୍ରଭାକର ଉପାଧ୍ୟାୟ, ଡାକ୍ତର ଗୌତମୀ, ରକ୍ତ କେନ୍ଦ୍ର ଅଧିକାରୀ ଡାକ୍ତର ଗୌତମ ପଟ୍ଟନାୟକଙ୍କ ସମେତ ରକ୍ତ କେନ୍ଦ୍ରର କର୍ମଚାରୀ ସରୋଜ କାନ୍ତ ଆଚାର୍ଯ୍ୟ, ଉମାକାନ୍ତ ମିଶ୍ର ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଭାଜପା ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରଜିତା କରଡ଼ା ଓ ଅନ୍ୟମାନେ ମଧ୍ୟ ଯୋଗଦେଇଥିଲେ।