ଚକାପାଦ, ୧୬/୦୬ ( ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣପାଦ ପଞ୍ଚାୟତର ରିଙ୍ଗିବାଡି ଗ୍ରାମରେ ରିଙ୍ଗିବାଡି ଉପଶାଖା କୁଇ ସମାଜ ସେବା ସମିତିର ବାର୍ଷିକ ସାଧାରଣ ଉତ୍ସବ ରିଙ୍ଗିବାଡି ପ୍ରାଥମିକ ବିଦ୍ୟାଳୟ ନିକଟରେ ଉତ୍ସାହ ଓ ଆନନ୍ଦର ସହ ଅନୁଷ୍ଠିତ ହୋଇଯାଇଛି। ଉପଶାଖା ସଭାପତି ଶ୍ରୀ ବିଶ୍ୱାମିତ୍ର ମଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ବାରକୋଷ ଶାଖା ସଭାପତି ଶ୍ରୀ ଗୟାଧର କହଁର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସଭାରେ ରିଙ୍ଗିବାଡି ଉପଶାଖା ଅଧୀନସ୍ଥ ଅଞ୍ଚଳର ସାମଗ୍ରିକ ବିକାଶ, ଶିକ୍ଷାର ପ୍ରସାର, ସ୍ୱାସ୍ଥ୍ୟ ସେବାର ଉନ୍ନତି, ଗମନାଗମନ ବ୍ୟବସ୍ଥାର ସୁଧାର ଏବଂ ସମାଜର ସର୍ବାଙ୍ଗୀନ ଅଗ୍ରଗତି ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ଆଲୋଚନା ରେ ରିଙ୍ଗିବାଡି ପ୍ରାଥମିକ ବିଦ୍ୟାଳୟ ପରିସର ରେ ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ଏକ ଛାତ୍ରାବାସ ନିର୍ମାଣ କରିବା,ଉପଶାଖାର ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣ ପାଇଁ ସ୍ଥାନୀୟ ବିଧାୟକ ଏବଂ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ସହ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଉପସଭାପତି ଲୋକନାଥ ପ୍ରଧାନ, ମୁଖ୍ୟ ସଦସ୍ୟ ଶ୍ରୀ ସୁବାଷ ଚନ୍ଦ୍ର ମଲିକ, ଲାଇନପଡା କୁଇଦିନା ଇନ୍ଦିରା ଗାନ୍ଧୀ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ସମେତ ଉପଶାଖାର ସହ-ସମ୍ପାଦକ, ଉପସଭାନେତ୍ରୀ ଏବଂ ବହୁ ସମାଜପ୍ରେମୀ ଉପସ୍ଥିତ ରହିଥିଲେ। ଶେଷରେ ଉପଶାଖା ସମ୍ପାଦକ ଶ୍ରୀ ଗୟାଧର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସଭାପତି ଶ୍ରୀ ବିଶ୍ୱାମିତ୍ର ମଲିକ ସଭାର ପରିସମାପ୍ତି ଘୋଷଣା କରିଥିଲେ। ଏହି ଉତ୍ସବ ସମାଜର ଏକତା, ସଚେତନତା ଓ ବିକାଶମୂଳକ ଚିନ୍ତାଧାରାକୁ ଆହୁରି ସୁଦୃଢ଼ କରିଥିବା ମତ ପ୍ରକାଶ ପାଇଥିଲା।
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ
