କେସିଙ୍ଗା, ୨୯/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଉତ୍କେଲା–କୋକୋଡମାଲ ସଂଯୋଗକାରୀ ପିଡବ୍ଲ୍ୟୁଡି ରାସ୍ତାରେ ଥିବା ମେର୍ଶି ଇଂରାଜୀ ବିଦ୍ୟାଳୟ ସମ୍ମୁଖରେ ସୋମବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍କୁଲ ଛୁଟି ପରେ ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ସ୍କୁଲ ଭ୍ୟାନ ମୁଖ୍ୟ ରାସ୍ତାକୁ ଉଠୁଥିବା ବେଳେ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା।ଏହି ଦୁର୍ଘଟଣାରେ କୋକୋଡମାଲ (କନ୍ଧେଇମାଲ) ଗ୍ରାମର *ଆକାଶ ଜାଲ (୧୪)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ବଡ଼ ଭାଇ ପଙ୍କଜ ଜାଲ (୨୩) ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ଆକାଶଙ୍କୁ ମୃତ ଘୋଷଣା କରିଥିବା ବେଳେ ପଙ୍କଜଙ୍କୁ ଅଧିକ ଚିକିତ୍ସା ପାଇଁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ସମୟରେ ସ୍କୁଲ ଭ୍ୟାନରେ ପ୍ରାୟ ୩୦ ଜଣ ଛୋଟ ଛାତ୍ରଛାତ୍ରୀ ଥିଲେ। ଏତେ ବଡ଼ ଦୁର୍ଘଟଣା ସତ୍ତ୍ୱେ ସୌଭାଗ୍ୟବଶତଃ ଭ୍ୟାନରେ ଥିବା କୌଣସି ଛାତ୍ରଛାତ୍ରୀ ଆହତ ହୋଇନଥିବା ସୂଚନା ମିଳିଛି। ଘଟଣା ପରେ ସ୍କୁଲ ଭ୍ୟାନ ଚାଳକ ଫେରାର ହୋଇଯାଇଥିବା ବେଳେ ମୃତକଙ୍କ ପରିବାର ଓ କୋକୋଡମାଲ ଗ୍ରାମବାସୀ ମେର୍ଶି ଇଂରାଜୀ ବିଦ୍ୟାଳୟ ସମ୍ମୁଖରେ କ୍ଷତିପୂରଣ ଦାବିରେ ଧାରଣା ଦେଇ ଉତ୍ତେଜନା ସୃଷ୍ଟି କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କେସିଙ୍ଗା ଓ ଭବାନୀପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି। ଏ ସମ୍ପର୍କରେ ଉତ୍କେଲା ଫାଣ୍ଡି ଅଧିକାରୀ କହିଛନ୍ତି ଯେ ଘଟଣାର ତଦନ୍ତ ଜାରି ରହିଛି। ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

