Hot Posts

6/recent/ticker-posts

ବହୁ ପ୍ରତୀକ୍ଷିତ ଖଜୁରୀପଡ଼ା–ଗୋପାଳପୁର ସରକାରୀ ବସ୍ ସେବାର ଶୁଭାରମ୍ଭ, କନ୍ଧମାଳବାସୀଙ୍କ ପାଇଁ ସୁଗମ ହେଲା ବ୍ରହ୍ମପୁର ଓ ଗୋପାଳପୁର ଯାତ୍ରା

ଖଜୁରୀପଡ଼ା, ୦୮/୦୬ ( ଅଚ୍ୟୁତ ଜାନୀ ) : ଆଦିବାସୀ ଅଧ୍ୟୁଷିତ ଏବଂ ରେଳ ବିହୀନ କନ୍ଧମାଳ ଜିଲ୍ଲାବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଛି। ଖଜୁରୀପଡ଼ା ଠାରୁ ଗୋପାଳପୁର ପର୍ଯ୍ୟନ୍ତ ଭାୟା ଫୁଲବାଣୀ ଓ ବ୍ରହ୍ମପୁର ଦେଇ ନୂତନ ଶୀତତାପ ନିୟନ୍ତ୍ରିତ ସରକାରୀ ବସ୍ ସେବାର ସୋମବାର ଶୁଭାରମ୍ଭ ହୋଇଛି। ଏହି ନୂତନ ବସ୍ ସେବା ଆରମ୍ଭ ହେବା ଫଳରେ କନ୍ଧମାଳ ଜିଲ୍ଲାର ଲୋକମାନଙ୍କ ପାଇଁ ବ୍ରହ୍ମପୁର ଓ ଗୋପାଳପୁରକୁ ସିଧାସଳଖ ଯାତାୟାତ ସୁବିଧା ଆହୁରି ସହଜ ହୋଇପାରିଛି। ଦୀର୍ଘଦିନ ଧରି ଉକ୍ତ ମାର୍ଗରେ ସରକାରୀ ବସ୍ ଚଳାଚଳ ନଥିବାରୁ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହି ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ଉମା ଚରଣ ମଲିକ ମାନ୍ୟବର ମୁଖ୍ୟମନ୍ତ୍ରୀ, ପରିବହନ ମନ୍ତ୍ରୀ, ବିଭାଗୀୟ ସଚିବ ଓ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଚିଠି ଲେଖିବା ସହ ସାକ୍ଷାତ କରି ଆଲୋଚନା କରିଥିଲେ ଶେଷରେ ତାଙ୍କ ଉଦ୍ୟମ ସଫଳ ହୋଇ ଏହି ନୂତନ ବସ୍ ସେବାର ଶୁଭାରମ୍ଭ ହୋଇଛି। ନୂତନ ବସ୍ ଟି ଖଜୁରୀପଡ଼ାରୁ ଫୁଲବାଣୀ, ଶଙ୍କରାଖୋଲ, ଟିକାବାଲି, ତଲାରିମାହା, କଳିଙ୍ଗା, ମୁଜାଗଡ଼, ଭଞ୍ଜନଗର, ଆସିକା, ହିଞ୍ଜିଳିକାଟୁ ଓ ବ୍ରହ୍ମପୁର ଦେଇ ଗୋପାଳପୁର ପର୍ଯ୍ୟନ୍ତ ଚଳାଚଳ କରିବ। ପ୍ରତିଦିନ ଦିନ ୧୨ଟା ୦୫ ମିନିଟ୍‌ରେ ବସ୍‌ଟି ଖଜୁରୀପଡ଼ାରୁ ଛାଡ଼ିବା ସହ ଦିନ ୧ଟା ୨୨ ମିନିଟ୍‌ରେ ଫୁଲବାଣୀରୁ ଯାତ୍ରା କରି ସନ୍ଧ୍ୟା ୬ଟା ୧୦ ମିନିଟ୍‌ରେ ବ୍ରହ୍ମପୁର ଏବଂ ସନ୍ଧ୍ୟା ୬ଟା ୫୦ ମିନିଟ୍‌ରେ ଗୋପାଳପୁର ପହଞ୍ଚିବ। ସେହିପରି ଫେରାବେଳେ ବସ୍‌ଟି ରାତି ୯ଟା ୧୦ ମିନିଟ୍‌ରେ ଗୋପାଳପୁରରୁ ଛାଡ଼ି ରାତି ୧୦ଟାରେ ବ୍ରହ୍ମପୁରରୁ ବୋଡି ଭୋର ୩ଟାରେ ଫୁଲବାଣୀ ଏବଂ ଭୋର ୪ଟା ୦୯ ମିନିଟ୍‌ରେ ଖଜୁରୀପଡ଼ା ପହଞ୍ଚିବ। ବସ୍ ସେବାର ଶୁଭାରମ୍ଭ ଅବସରରେ ଆଜି ଫୁଲବାଣୀ ବିଧାୟକ ଶ୍ରୀ ଉମା ଚରଣ ମଲ୍ଲିକଙ୍କ ସମେତ ବହୁ ବିଜେପି କାର୍ଯ୍ୟକର୍ତ୍ତା, ବରିଷ୍ଠ ନାଗରିକ ସଂଘର ସଦସ୍ୟ, ଜିଲ୍ଲା ପରିବହନ ପରିଚାଳକ ଓ ସହ-ପରିଚାଳକ ଉପସ୍ଥିତ ଥିଲେ।ଦୀର୍ଘଦିନର ଏହି ସମସ୍ୟା ସମାଧାନ ହୋଇ ଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ବାଣିଜ୍ୟ ଓ ପରିବହନ ବିଭାଗୀୟ ମନ୍ତ୍ରୀ, ବିଭାଗୀୟ ସଚିବ ଓ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ରାଜ୍ୟର ପ୍ରମୁଖ ସହରଗୁଡ଼ିକୁ ଆହୁରି ସରକାରୀ ବସ୍ ସେବା ଆରମ୍ଭ ପାଇଁ ଉଦ୍ୟମ ଜାରି ରହିବ ବୋଲି ସେ କହିଛନ୍ତି।