Hot Posts

6/recent/ticker-posts

ନାଳ ସଫେଇ ନାଁରେ ମନମାନି! ଅଳିଆ ଉଠୁନଥିବାରୁ ନାକେଦମ ଜୟପୁର ସହରବାସୀ

ଜୟପୁର, ୦୯/୦୬ ( ଏ. ଭେଙ୍କଟ ରାଓ ) : ଜୟପୁର ପୌରପାଳିକାର ସ୍ୱଚ୍ଛତା ବ୍ୟବସ୍ଥାକୁ ନେଇ ଏବେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସହରର ବିଭିନ୍ନ ୱାର୍ଡରେ ନାଳ ସଫେଇ କାମ କରାଯାଉଥିଲେ ମଧ୍ୟ ନାଳରୁ ବାହାର କରାଯାଇଥିବା ଆବର୍ଜନା ଓ ପଙ୍କକୁ ତୁରନ୍ତ ଉଠାଯାଉ ନଥିବା ଅଭିଯୋଗ ହୋଇଛି। ଫଳରେ ରାସ୍ତା କଡ଼ରେ ଗଦା ଗଦା ଅଳିଆ ଜମି ରହି ଦୁର୍ଗନ୍ଧ ସୃଷ୍ଟି କରୁଥିବା ବେଳେ ସ୍ଥାନୀୟ ଲୋକେ ନାକେଦମ ହୋଇପଡ଼ିଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ପୌରପାଳିକା କର୍ମଚାରୀମାନେ ନାଳ ସଫେଇ କରି ଆବର୍ଜନାକୁ ରାସ୍ତା କଡ଼ରେ ରଖି ଚାଲିଯାଉଛନ୍ତି। କିନ୍ତୁ ଦିନ ଦିନ ଧରି ସେହି ଅଳିଆ ଉଠାଯାଉ ନଥିବାରୁ ଦୁର୍ଗନ୍ଧ ବଢ଼ୁଛି। ଏଥିସହ ମଶା ଓ ମାଛିଙ୍କ ଉପଦ୍ରବ ମଧ୍ୟ ବଢ଼ିବାରେ ଲାଗିଛି। ବର୍ଷା ଋତୁ ଆରମ୍ଭ ହୋଇଥିବାରୁ ଏଭଳି ଅବ୍ୟବସ୍ଥା ସ୍ୱାସ୍ଥ୍ୟ ସମସ୍ୟାକୁ ଆହୁରି ବଢ଼ାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ସହରବାସୀଙ୍କ ଅଭିଯୋଗ, ସ୍ୱଚ୍ଛ ଓ ସୁନ୍ଦର ଜୟପୁର ଗଠନ ପାଇଁ ପୌରପାଳିକା ପକ୍ଷରୁ ବିଭିନ୍ନ ଯୋଜନା ଓ ପ୍ରଚାର କରାଯାଉଥିଲେ ମଧ୍ୟ ଭୂମିସ୍ତରରେ ତାହାର ପ୍ରଭାବ ଦେଖିବାକୁ ମିଳୁନାହିଁ। ନାଳ ସଫେଇ କାମ ସହ ଆବର୍ଜନାର ତୁରନ୍ତ ଉଠାଣ ନ ହେଲେ ବର୍ଷା ଦିନରେ ଜଳ ନିଷ୍କାସନ ବ୍ୟବସ୍ଥା ବାଧାପ୍ରାପ୍ତ ହେବା ସହ ରୋଗ ବ୍ୟାଧି ବ୍ୟାପିବାର ସମ୍ଭାବନା ରହିଛି। ଏହି ପରିସ୍ଥିତିରେ ସହରବାସୀ ପୌରପାଳିକାକୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ନାଳ ସଫେଇ ପରେ ଆବର୍ଜନାକୁ ତୁରନ୍ତ ଉଠାଇ ସହରର ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟକର ପରିବେଶ ବଜାୟ ରଖିବାକୁ ସେମାନେ ଅନୁରୋଧ କରିଛନ୍ତି।