Hot Posts

6/recent/ticker-posts

ବରୁଣେଶ୍ୱର ବିଦ୍ୟାଳୟରେ ନୂତନ ପ୍ରଧାନ ଶିକ୍ଷକ ଭାବେ ଅନାଦି ଚରଣ ଯେନାଙ୍କ ଯୋଗଦାନ, ଶିକ୍ଷାର ମାନୋନ୍ନତି ପାଇଁ ଅଞ୍ଚଳବାସୀଙ୍କ ଆଶା

ବିଞ୍ଝାରପୁର, ୦୯/୦୬ (ପ୍ରଦୀପ କୁମାର ମଲ୍ଲିକ) : ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଅରେଇ ଗ୍ରାମ ପଞ୍ଚାୟତସ୍ଥିତ ବରୁଣେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ନୂତନ ପ୍ରଧାନ ଶିକ୍ଷକ ଭାବେ ଅନାଦି ଚରଣ ଯେନା ଯୋଗଦାନ କରିଛନ୍ତି। ତାଙ୍କ ଯୋଗଦାନ ଅବସରରେ ଅରେଇ, ଘଣ୍ଟିଆଳି, ଚିକଣା ଓ ଗୁହାଳି ପଞ୍ଚାୟତର ବହୁ ଗ୍ରାମବାସୀ, ଅଭିଭାବକ ଓ ଶିକ୍ଷାନୁରାଗୀ ବିଦ୍ୟାଳୟରେ ଉପସ୍ଥିତ ରହି ସ୍ୱାଗତ ଜଣାଇଥିଲେ। ଏହି ଘଟଣାକୁ ନେଇ ଅଞ୍ଚଳରେ ଏକ ସକାରାତ୍ମକ ପରିବେଶ ସୃଷ୍ଟି ହୋଇଥିବା ଦେଖାଯାଇଛି। ସୂଚନାଯୋଗ୍ୟ ଯେ, ଗତ ମେ’ ୨୯ ତାରିଖରେ ଅନାଦି ଚରଣ ଯେନା ପ୍ରଧାନ ଶିକ୍ଷକ ଭାବେ ଯୋଗଦାନ କରିବାକୁ ଆସିଥିବା ବେଳେ କେତେକ ଗ୍ରାମବାସୀ ତାଙ୍କ ଯୋଗଦାନକୁ ବିରୋଧ କରିଥିଲେ। ଫଳରେ ସେ ବିଦ୍ୟାଳୟ ପରିସରକୁ ପ୍ରବେଶ କରିପାରିନଥିଲେ ଏବଂ ବାଧ୍ୟ ହୋଇ ଫେରିଯାଇଥିଲେ। ତେବେ କିଛି ଦିନର ବ୍ୟବଧାନ ପରେ ବିଦ୍ୟାଳୟର ଶିକ୍ଷାଗତ ଉନ୍ନତି, ସୁପରିଚାଳନା ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅଞ୍ଚଳର ବୁଦ୍ଧିଜୀବୀ, ଅଭିଭାବକ ଏବଂ ସଚେତନ ନାଗରିକମାନେ ଏକତ୍ରିତ ହୋଇ ଆଲୋଚନା କରିଥିଲେ। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ବିଦ୍ୟାଳୟର ଫଳାଫଳ ଆଶାନୁରୂପ ନ ହେବା ସହିତ ଦୀର୍ଘଦିନ ଧରି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଦ୍ୱାରା ବିଦ୍ୟାଳୟ ପରିଚାଳିତ ହେଉଥିବାରୁ ଏକ ସ୍ଥାୟୀ ପ୍ରଧାନ ଶିକ୍ଷକଙ୍କ ଆବଶ୍ୟକତା ଅନୁଭୂତ ହୋଇଥିଲା। ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଏବଂ ପ୍ରଶାସନିକ କାର୍ଯ୍ୟକଳାପକୁ ଗତିଶୀଳ କରିବା ପାଇଁ ଅଞ୍ଚଳବାସୀ ନୂତନ ପ୍ରଧାନ ଶିକ୍ଷକ ଅନାଦି ଚରଣ ଯେନାଙ୍କୁ ସ୍ୱାଗତ ଜଣାଇ ବିଦ୍ୟାଳୟରେ ଯୋଗଦାନ କରାଇଥିଲେ। ଯୋଗଦାନ ପରେ ନୂତନ ପ୍ରଧାନ ଶିକ୍ଷକ ଅନାଦି ଚରଣ ଯେନା କହିଛନ୍ତି ଯେ, ବରୁଣେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷାର ମାନ ବୃଦ୍ଧି, ଶୃଙ୍ଖଳା ରକ୍ଷା, ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ ଓ ବିଦ୍ୟାଳୟର ସାମଗ୍ରିକ ଉନ୍ନତି ପାଇଁ ସେ ନିଷ୍ଠାର ସହ କାର୍ଯ୍ୟ କରିବେ। ଶିକ୍ଷକ, ଅଭିଭାବକ ଓ ଅଞ୍ଚଳବାସୀଙ୍କ ସହଯୋଗରେ ବିଦ୍ୟାଳୟକୁ ଏକ ଆଦର୍ଶ ଶିକ୍ଷାନୁଷ୍ଠାନ ଭାବେ ଗଢ଼ି ତୋଳିବା ତାଙ୍କର ପ୍ରମୁଖ ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଛନ୍ତି।