ବିଶ୍ୱ ସିକଲ୍ ସେଲ୍ ସଚେତନତା ଦିବସ ପାଳିତ ସିକଲ୍ ସେଲ୍ ରୋଗ ନିରାକରଣ ପାଇଁ ସାମୂହିକ ପ୍ରୟାସ ଉପରେ ଗୁରୁତ୍ୱାରୋପ
ରାୟଗଡା, ୧୯/୦୬ ( ଭି. ଗୌରୀ ଶଙ୍କର ରାଓ ) : ବିଶ୍ୱ ସିକଲ୍ ସେଲ୍ ସଚେତନତା ଦିବସ ଅବସରରେ ଶୁକ୍ରବାର ରାୟଗଡା ଜିଲ୍ଲାରେ ସିକଲ୍ ସେଲ୍ ରୋଗ ସମ୍ପର୍କିତ ସଚେତନତା, ପ୍ରତିରୋଧ ଓ ପ୍ରାରମ୍ଭିକ ଚିହ୍ନଟକୁ ଗୁରୁତ୍ୱ ଦେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସିଡିଏମଓଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଶୁଭାରମ୍ଭ କରିଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ବିଭିନ୍ନ ବିଭାଗର ପ୍ରତିନିଧିମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଅବସରରେ ସିକଲ୍ ସେଲ୍ ରୋଗ ନିରାକରଣ ପାଇଁ ସମସ୍ତେ ଶପଥ ପାଠ କରିଥିଲେ। ପ୍ରତିବର୍ଷ ଜୁନ୍ ୧୯ ତାରିଖକୁ ବିଶ୍ୱ ସିକଲ୍ ସେଲ୍ ସଚେତନତା ଦିବସ ଭାବେ ପାଳନ କରାଯାଏ। ଏହି ଦିବସର ମୂଳ ଉଦ୍ଦେଶ୍ୟ ହେଉଛି ସିକଲ୍ ସେଲ୍ ରୋଗ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା, ପ୍ରତିରୋଧକ ଯାଞ୍ଚକୁ ପ୍ରୋତ୍ସାହନ ଦେବା ଓ ରୋଗର ପ୍ରାରମ୍ଭିକ ଚିହ୍ନଟ ମାଧ୍ୟମରେ ଉତ୍ତମ ଚିକିତ୍ସା ସେବା ଯୋଗାଇବା। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳଗୁଡ଼ିକରେ ଏହି ରୋଗର ପ୍ରକୋପ ଅଧିକ ଥିବାରୁ ସଚେତନତା ଓ ସ୍କ୍ରିନିଂ କାର୍ଯ୍ୟକ୍ରମର ଆବଶ୍ୟକତା ଅଧିକ ଅନୁଭୂତ ହେଉଛି। ଏହି ଅବସରରେ ବକ୍ତାମାନେ କହିଥିଲେ ଯେ ସିକଲ୍ ସେଲ୍ ଡିଜିଜ୍ (ଏସସିଡି) ଅନୁସୂଚିତ ଜନଜାତି ଏବଂ ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ ମଧ୍ୟରେ ଏକ ପ୍ରମୁଖ ଜନସ୍ୱାସ୍ଥ୍ୟ ସମସ୍ୟା ଭାବେ ରହିଛି।ଏହି ରୋଗ ବଂଶାନୁକ୍ରମିକ ହୋଇଥିବାରୁ ଏହାର ଚିହ୍ନଟ ଓ ପ୍ରତିରୋଧ ପାଇଁ ପରିବାର ସ୍ତରରେ ସଚେତନତା ସୃଷ୍ଟି କରିବା ନିହାତି ଆବଶ୍ୟକ। ଭାରତ ସରକାରଙ୍କ ଜାତୀୟ ସିକଲ୍ ସେଲ୍ ଆନିମିଆ ନିରାକରଣ ମିଶନ ଅଧୀନରେ ୨୦୪୭ ସୁଦ୍ଧା ସିକଲ୍ ସେଲ୍ ରୋଗକୁ ଜନସ୍ୱାସ୍ଥ୍ୟ ସମସ୍ୟା ଭାବେ ଦୂର କରିବାର ଲକ୍ଷ୍ୟ ରହିଛି। ଏହି ଲକ୍ଷ୍ୟ ପୂରଣ ଦିଗରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ବିଭିନ୍ନ ସ୍ତରରେ କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି। ଜିଲ୍ଲାର ବିଭିନ୍ନ ଆଦିବାସୀ ବହୁଳ ବ୍ଲକ, ଗ୍ରାମ ଓ ଶିକ୍ଷାନୁଷ୍ଠାନଗୁଡ଼ିକରେ ସଚେତନତା ସଭା, ସ୍କ୍ରିନିଂ ଓ ପରାମର୍ଶ ଶିବିର ଆୟୋଜନ କରାଯିବା ସହ ରୋଗର ଲକ୍ଷଣ, ପ୍ରତିରୋଧ ଓ ଚିକିତ୍ସା ସମ୍ପର୍କିତ ତଥ୍ୟ ସମ୍ବଳିତ ପ୍ରଚାର ପତ୍ର ବଣ୍ଟନ କରାଯିବ ବୋଲି ସୂଚନା ଦିଆଯାଇଥିଲା। ସେହିପରି ଚିହ୍ନଟ ହୋଇଥିବା ରୋଗୀ ଓ ବାହକମାନଙ୍କ ପାଇଁ ଜେନେଟିକ୍ କାଉନସେଲିଂ ଏବଂ ପରିବାର ସଚେତନତା କାର୍ଯ୍ୟକ୍ରମ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ। କାର୍ଯ୍ୟକ୍ରମରେ ଉପସ୍ଥିତ ଅଧିକାରୀମାନେ କହିଥିଲେ ଯେ ପ୍ରାରମ୍ଭିକ ଚିହ୍ନଟ, ନିୟମିତ ଚିକିତ୍ସା, ଜନସଚେତନତା ଓ ସାମୁଦାୟିକ ସହଭାଗିତା ହିଁ ସିକଲ୍ ସେଲ୍ ରୋଗ ନିୟନ୍ତ୍ରଣର ମୁଖ୍ୟ ମାଧ୍ୟମ। ଏହି ଦିଗରେ ସରକାରୀ ବିଭାଗ, ସ୍ୱାସ୍ଥ୍ୟ ସଂସ୍ଥା ଓ ସାଧାରଣ ଜନତାଙ୍କ ସମନ୍ୱିତ ପ୍ରୟାସ ଭବିଷ୍ୟତରେ ସିକଲ୍ ସେଲ୍ ମୁକ୍ତ ସମାଜ ଗଠନରେ ସହାୟକ ହେବ ବୋଲି ସେମାନେ ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ନଗେନ୍ଦ୍ର ନାଥ ମହାପାତ୍ର, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ରୁମା ମହାପାତ୍ର, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. କେ. ବରାହୀ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡା. ମମତା ଚୌଧୁରୀ, ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଲକ୍ଷ୍ମୀଧର ମହାପାତ୍ରଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଲକର ବ୍ଲକ ଚିକିତ୍ସା ଅଧିକାରୀ, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ, ବ୍ଲକ ପ୍ରୋଗ୍ରାମ ମ୍ୟାନେଜର, ସରକାରୀ ଏଏନଏମ୍ ପ୍ରଶିକ୍ଷଣ କେନ୍ଦ୍ର (ଏ ଏନଏମଟିସି )ର ଛାତ୍ରୀଛାତ୍ର, ଅଧ୍ୟାପିକା ଓ ଅଧ୍ୟକ୍ଷା ଉପସ୍ଥିତ ଥିଲେ। ସମସ୍ତେ ସିକଲ୍ ସେଲ୍ ରୋଗ ସଚେତନତା ବୃଦ୍ଧି ଏବଂ ଏହାର ନିରାକରଣ ଦିଗରେ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ଶପଥ ଗ୍ରହଣ କରିଥିଲେ।