ରାୟଗଡାରେ ମାଓବାଦୀ ଡମ୍ପରୁ ଅସ୍ତ୍ରଶସ୍ତ୍ର ଓ ସାମଗ୍ରୀ ଜବତ
ରାୟଗଡା, ୧୪/୦୬ ( ଭି. ଗୌରି ଶଙ୍କର ରାଓ ) : ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କଠାରୁ ମିଳିଥିବା ସୂଚନା ଆଧାରରେ ରାୟଗଡା ପୋଲିସ ପକ୍ଷରୁ ଅମ୍ବାଦଳା ଥାନା ଅଧୀନ ଜଗଦଲପୁର ଆଉଟପୋଷ୍ଟ ଅଞ୍ଚଳର ଢେପାଗୁଡା ସଂରକ୍ଷିତ ଜଙ୍ଗଲରେ ବ୍ୟାପକ ସର୍ଚ୍ଚ ଅପରେସନ କରାଯାଇଥିଲା। ଡିଭିଏଫ ଓ ଏସଓଜି ଯବାନଙ୍କ ସହଯୋଗରେ ଚାଲିଥିବା ଏହି ଅଭିଯାନରେ ମାଓବାଦୀଙ୍କ ଲୁଚାଇ ରଖାଯାଇଥିବା ଡମ୍ପ ଠାବ କରାଯାଇଥିଲା। ପରେ ବୋମା ନିଷ୍କ୍ରିୟକରଣ ଦଳ ତଲାସି କରି ଏକ .303 ରାଇଫଲ, ୩୭ ରାଉଣ୍ଡ ଗୁଳି, ମ୍ୟାଗାଜିନ, ଚାର୍ଜର କ୍ଲିପ, କର୍ଡେକ୍ସ ତାର, ଗନପାଉଡର, ମାଓବାଦୀ ସାହିତ୍ୟ ସମେତ ବହୁ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଜବତ କରିଛନ୍ତି। ଜବତ ସାମଗ୍ରୀ ମାଓବାଦୀଙ୍କର ବୋଲି ପୋଲିସ କହିଛି। ପୋଲିସ ସୂଚନା ଅନୁଯାୟୀ, ଜାନୁଆରୀ ୨୦୨୫ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ରାଜ୍ୟ କମିଟି ସଦସ୍ୟ ନିଖିଲ ଓ ଇନ୍ଦୁଙ୍କ ସମେତ ୧୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଅଞ୍ଚଳରେ ମାଓ କାର୍ଯ୍ୟକଳାପକୁ ରୋକିବା ପାଇଁ ସର୍ଚ୍ଚ ଓ କମ୍ବିଂ ଅପରେସନ ଜାରି ରହିଛି।