Hot Posts

6/recent/ticker-posts

ସମାଜରେ ପୀଡ଼ିତ ଓ ଅସହାୟଙ୍କ ପାଇଁ ସାମ୍ବାଦିକ ହେଉଛନ୍ତି ଆଶାର କେନ୍ଦ୍ରବିନ୍ଦୁ ଖରସ୍ରୋତା ପ୍ରେସକ୍ଲବର ରଜତ ଜୟନ୍ତୀ ଉତ୍ସବ ଓ ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ

ବିଞ୍ଝାରପୁର, ୧୯/୦୬ (ପ୍ରଦୀପ କୁମାର ମଲ୍ଲିକ) : ସମାଜରେ ପୀଡ଼ିତ ଓ ଅସହାୟ ଲୋକମାନେ ନ୍ୟାୟ ପାଇବା ପାଇଁ ସର୍ବପ୍ରଥମେ ଜଣେ ସାମ୍ବାଦିକଙ୍କ ସହାୟତା ଲୋଡ଼ିଥାନ୍ତି। ବେସାହାରା ମଣିଷଙ୍କ ପାଇଁ ସାମ୍ବାଦିକ ହେଉଛନ୍ତି ଆଶା ଓ ବିଶ୍ୱାସର କେନ୍ଦ୍ରବିନ୍ଦୁ। ଏଭଳି ମତ ପ୍ରକାଶ କରିଛନ୍ତି ବିଶିଷ୍ଟ ବକ୍ତାମାନେ ଖରସ୍ରୋତା ପ୍ରେସକ୍ଲବର ରଜତ ଜୟନ୍ତୀ ଉତ୍ସବ ଓ ଉତ୍କଳ ସାମ୍ବାଦିକ ସଂଘର ଯାଜପୁର ଜିଲ୍ଲା ସମ୍ମିଳନୀ ଅବସରରେ ଆୟୋଜିତ ସମାବେଶରେ। ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ସ୍ଥିତ ସାଇ ମଣ୍ଡପ ପରିସରରେ ଖରସ୍ରୋତା ପ୍ରେସକ୍ଲବର ୨୫ତମ ବାର୍ଷିକ ଉତ୍ସବ ତଥା ରଜତ ଜୟନ୍ତୀ ଉତ୍ସବ ସହ ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ସମ୍ମିଳନୀ ଧୁମଧାମରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଆୟୋଜିତ ଆଲୋଚନାଚକ୍ରରେ ଉତ୍କଳ ସାମ୍ବାଦିକ ସଂଘର ଯାଜପୁର ଜିଲ୍ଲା ସଭାପତି ହରିହର ସ୍ୱାଇଁ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତିଭୂଷଣ କର ଯୋଗଦେଇ କହିଥିଲେ ଯେ, ଦେଶର ଅନେକ ରାଜ୍ୟରେ ସାମ୍ବାଦିକମାନଙ୍କ ପାଇଁ ଅନୁଦାନ ଓ କଲ୍ୟାଣମୂଳକ ଯୋଜନାର ବ୍ୟବସ୍ଥା ରହିଛି। ଓଡ଼ିଶାରେ ମଧ୍ୟ ସେହିପରି ସୁବିଧା କାର୍ଯ୍ୟକାରୀ କରିବାକୁ ସଂଘ ପକ୍ଷରୁ ସରକାରଙ୍କ ନିକଟରେ ବାରମ୍ବାର ଦାବି ଉଠାଯାଉଛି। ମୁଖ୍ୟ ବକ୍ତା ଭାବେ ଦୈନିକ ପ୍ରଗତିବାଦୀର ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ ଯୋଗଦେଇ ସାମ୍ବାଦିକମାନେ ପ୍ରକୃତ ଅର୍ଥରେ ଲୋକପ୍ରତିନିଧି ବୋଲି ମତବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ, ସାମ୍ବାଦିକତାକୁ ଏକ ସେବାଧର୍ମୀ ବୃତ୍ତି ଭାବେ ଗ୍ରହଣ କରି ଏହାର ମର୍ଯ୍ୟାଦା ଓ ନିରପେକ୍ଷତାକୁ ଅକ୍ଷୁଣ୍ଣ ରଖିବା ଆବଶ୍ୟକ। ସାମ୍ବାଦିକତା ପ୍ରତି ଆଗ୍ରହ ଓ ନିଷ୍ଠା ଥିବା ବ୍ୟକ୍ତିମାନେ ଏହି ବୃତ୍ତିକୁ ଆସିବାକୁ ସେ ଆହ୍ୱାନ ଜଣାଇଥିଲେ। ସମ୍ମାନିତ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘର କାର୍ଯ୍ୟକାରୀ ସଭାପତି ହାରାଧନ ବାନାର୍ଜୀ, ବିଜେପି ନେତ୍ରୀ ବବିତା ମଲିକ, ସମାଜସେବୀ ବିଜୟ କୁମାର ଧଳ, ସଂଘର ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, ରାଜ୍ୟ ସମ୍ପାଦକ ବିଶ୍ୱଜିତ୍ ନାୟକ, ଜିଲ୍ଲା ସମ୍ପାଦକ ପବିତ୍ରରଞ୍ଜନ ମହାନ୍ତି, ଓଡ଼ିଆ ଭାଷା ଆନ୍ଦୋଳନର ପ୍ରବକ୍ତା ପବିତ୍ର ମହାରଥୀ, ଖରସ୍ରୋତା ପ୍ରେସକ୍ଲବର ଉପଦେଷ୍ଟା ସୁଶାନ୍ତ କୁମାର ନାୟକ ଓ ସଇଫୁର ରହେମାନ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଆବାହକ ରତନଲାଲ ଭୂୟାଁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଖରସ୍ରୋତା ପ୍ରେସକ୍ଲବର ସଭାପତି ରମାଲାଲ ଭୂୟାଁ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରେସକ୍ଲବର ସମ୍ପାଦକ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ପ୍ରଫେସର ଅଜୟ ଓଝାଙ୍କ ରଚିତ “ଖରସ୍ରୋତା ତୀରେ ତୀରେ ତୀର୍ଥ” ନାମକ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ରଜତ ଜୟନ୍ତୀ ଉତ୍ସବ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ଉତ୍କର୍ଷତା ପ୍ରଦର୍ଶନ କରିଥିବା ବିଜୟ କୁମାର ଧଳ, ଅଞ୍ଜୁପ୍ରଭା ଧଳ, ଡା. ରଞ୍ଜନ କୁମାର ମିଶ୍ର, ଡା. ଅରୁଣ କୁମାର ସାହୁ, ଡା. ଜିତେନ୍ଦ୍ର କୁମାର ମଲ୍ଲିକ, ଡ. ପଦ୍ମଚରଣ ଧଳ, ଶିକ୍ଷାବିତ୍ ଟିକିଲତା ବେହେରା, ସମାଜସେବୀ ପଦ୍ମାକର ଗୁରୁ, ସାମ୍ବାଦିକ ଶରତ କୁମାର ପଥାଳ, ଶିକ୍ଷକ ନେତା ରବିନାରାୟଣ ମହାନ୍ତି, ସମାଜସେବୀ ପ୍ରତୀକ କୁମାର ମିଶ୍ର, ବରିଷ୍ଠ ନାଗରିକ ଶ୍ରୀବତ୍ସ ସାମଲ, ନାଟ୍ୟକାର ବାସୁଦେବ ଯେନା ଓ କବି ସନ୍ତୋଷ କୁମାର ବେହୁରିଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମ୍ମିଳନୀରେ ଯାଜପୁର ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ ସାମ୍ବାଦିକ ଯୋଗଦେଇଥିଲେ। ରସୁଲପୁର ବ୍ଲକରୁ କୈଳାସ ଚନ୍ଦ୍ର ରାଉତ, କଳ୍ପତରୁ ପଣ୍ଡା ଓ ମନୋଜ କୁମାର ନାୟକ, ଧର୍ମଶାଳା ବ୍ଲକରୁ କପିଳେନ୍ଦ୍ର ରାଉତ, ବରୀ ବ୍ଲକରୁ ବାଞ୍ଛାନିଧି ସାହୁ ଓ ପ୍ରଭାତ ମହାନ୍ତି, ସୁକିନ୍ଦା-ଦାନଗଦି ଅଞ୍ଚଳରୁ ସଞ୍ଜୟ ଚାନ୍ଦଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ରହିଥିଲେ। ଶେଷରେ ସାମ୍ବାଦିକ ସରୋଜ କୁମାର ସାହୁ, ଶୁଭାଶିଷ ଦାଶ, ଶାନ୍ତନୁ ଦାସ, ସେକ୍ ଅମିନ ଅଲ୍ଲୀ ଓ ସୌର କର ପ୍ରମୁଖ କାର୍ଯ୍ୟକ୍ରମର ସଫଳ ସଞ୍ଚାଳନ କରିଥିଲେ। ରଜତ ଜୟନ୍ତୀ ଉତ୍ସବ ଓ ଜିଲ୍ଲା ସମ୍ମିଳନୀ ସାମ୍ବାଦିକ ଏକତା, ସାମାଜିକ ଦାୟିତ୍ୱବୋଧ ଏବଂ ଗଣମାଧ୍ୟମର ଗୁରୁତ୍ୱକୁ ପୁନର୍ବାର ପ୍ରତିପାଦିତ କରିଥିଲା।