ଅଙ୍ଗନବାଡ଼ି କ୍ୱାର୍ଟର ନିର୍ମାଣରେ ଅନିୟମିତତା ଅଭିଯୋଗ, ସୂଚନା ଫଳକ ନଥିବାରୁ ଉଠିଲା ପ୍ରଶ୍ନ
ସିନାପାଲି, ୩୦/୦୬ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅଧୀନସ୍ତୁ କୋସୁମଜୋର ପଞ୍ଚାୟତର କସାଇପାଣି ଗ୍ରାମରେ ନିର୍ମାଣାଧୀନ ଅଙ୍ଗନବାଡ଼ି କ୍ୱାର୍ଟରକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଛି। ସରକାରୀ ଅର୍ଥରେ ନିର୍ମାଣ ହେଉଥିବା ଏହି ପ୍ରକଳ୍ପରେ ସ୍ବଚ୍ଛତାର ଅଭାବ ରହିଥିବା ଅଭିଯୋଗ ସହ ନିର୍ମାଣ କାର୍ଯ୍ୟର ଗୁଣବତ୍ତାକୁ ନେଇ ମଧ୍ୟ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି। ନିର୍ମାଣ ସ୍ଥଳରେ ସୂଚନା ଫଳକ ନଥିବାରୁ ପ୍ରକଳ୍ପର ବ୍ୟୟ କେଉଁ ଯୋଜନା କିମ୍ବା ଫଣ୍ଡରୁ ଅର୍ଥ ବ୍ୟୟ ହେଉଛି ଏବଂ କାହା ତତ୍ତ୍ବାବଧାନରେ କାମ ଚାଲିଛି, ସେ ସମ୍ପର୍କରେ ସାଧାରଣ ଲୋକ କୌଣସି ସୂଚନା ପାଇପାରୁନାହାନ୍ତି । ଗ୍ରାମବାସୀଙ୍କ କହିବା ଅନୁସାରେ, ସରକାରୀ ନିର୍ମାଣ କାର୍ଯ୍ୟରେ ସୂଚନା ଫଳକ ଲଗାଇବା ବାଧ୍ୟତାମୂଳକ ହୋଇଥିଲେ ମଧ୍ୟ ଏହି କାମରେ ତାହାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି। ଫଳରେ କେତେ ଅର୍ଥ ମଞ୍ଜୁର ହୋଇଛି, କେଉଁ ବିଭାଗ କିମ୍ବା ଫଣ୍ଡରୁ ଏହି ନିର୍ମାଣ କାମ ହେଉଛି, ଠିକାଦାର କିଏ ଏବଂ କେବେ ସୁଦ୍ଧା କାମ ଶେଷ ହେବ, ତାହା ଲୋକଙ୍କ ଅଜଣା ରହିଛି। ଏହା ସରକାରୀ ନିର୍ମାଣ କାର୍ଯ୍ୟର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏହାଛଡ଼ା, ନିର୍ମାଣ କାର୍ଯ୍ୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଉଥିବା ଏବଂ କାମ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ହେଉନଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଯଦି ଏହି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ, ତେବେ ଭବିଷ୍ୟତରେ ଏହି କ୍ୱାର୍ଟରର ସୁରକ୍ଷା ଓ ସ୍ଥାୟୀତ୍ବ ଉପରେ ପ୍ରଭାବ ପଢ଼ିପାରେ। ଗ୍ରାମବାସୀଙ୍କ ମତରେ ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରି ଲୋକଙ୍କ ସୁବିଧା ପାଇଁ ଏଭଳି ଭିତ୍ତିଭୂମି ନିର୍ମାଣ ଜରୁଥିବା ବେଳେ ତାହାର ଗୁଣବତ୍ତା ସହ କୌଣସି ପ୍ରକାରର ଆପୋଷ ବରଦାସ୍ତ କରାଯିବା ଉଚିତ୍ ନୁହେଁ। ଏହି ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ (JE) ଲିଲେଶ୍ବର ମାଝୀଙ୍କ ପ୍ରତିକ୍ରିୟା ନେବା ପାଇଁ ବାରମ୍ବାର ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କଲ୍ ଗ୍ରହଣ କରିନଥିଲେ। ଫଳସ୍ବରୂପ ତାଙ୍କ ପକ୍ଷରୁ କୌଣସି ସୃଷ୍ଟୀକରଣ କିମ୍ବା ମତାମତ ମିଳିପାରିନାହିଁ। ଦାୟିତ୍ବରେ ଥୁବା ଅଧୂକାରୀଙ୍କ ଏଭଳି ନିରବତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ପ୍ରଶ୍ନ ଉଠୁଛି। ସ୍ଥାନୀୟ ବୁଦ୍ଧିଜୀବୀ ଓ ଗ୍ରାମବାସୀଙ୍କ ଦାବି ହେଉଛି, ଜିଲ୍ଲା ପ୍ରଶାସନ ଏବଂ ସମ୍ପୃକ୍ତ ବିଭାଗ ଏହି ଘଟଣାକୁ ଗୁରୁତ୍ବର ସହ ନେଇ ତୁରନ୍ତ ଏକ ବୈଷୟିକ ଟିମ୍ ଦ୍ବାରା ନିର୍ମାଣ କାର୍ଯ୍ୟର ଯାଞ୍ଚ କରନ୍ତୁ। ପ୍ରକଳ୍ପର ମଞ୍ଜୁରିପ୍ରାପ୍ତ ଅର୍ଥରାଶି, ଫଣ୍ଡର ଉତ୍ସ, ବ୍ୟବହୃତ ସାମଗ୍ରୀର ମାନ ଏବଂ ନିର୍ମାଣ ପ୍ରକ୍ରିୟାକୁ ଯାଞ୍ଚ କରି ସତ୍ୟାସତ୍ୟ ସାମ୍ନାକୁ ଆଣିବା ସହ ଯଦି କୌଣସି ଅନିୟମିତତା ପ୍ରମାଣିତ ହୁଏ, ତେବେ ସମ୍ପୃକ୍ତ ଅଧିକାରୀ କିମ୍ବା ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କଡ଼ା ପଦକ୍ଷେପ ଗ୍ରହଣ କରାଯାଉ।ବର୍ତ୍ତମାନ ସ୍ଥିତିରେ ଏହି ଘଟଣାକୁ ନେଇ ସାଧାରଣ ଲୋକଙ୍କ ନଜର ଜିଲ୍ଲା ପ୍ରଶାସନ ଉପରେ ରହିଛି। ଅଭିଯୋଗର ନିରପେକ୍ଷ ତଦନ୍ତ କରି ସତ୍ୟକୁ ସାମ୍ନାକୁ ଆଣିବା ଏବଂ ସରକାରୀ ଅର୍ଥର ସଠିକ୍ ବ୍ୟବହାର ନିଶ୍ଚିତ କରିବାକୁ ସମସ୍ତେ ଦାବି କରିଛନ୍ତି।!