ଭିବି-ଜି ରାମ ଜି ଯୋଜନା କାର୍ଯ୍ୟାନ୍ୱୟନ ନେଇ ନୂଆପଡ଼ାରେ ଏକଦିନିଆ ପ୍ରଶିକ୍ଷଣ ଶିବିର
ନୂଆପଡ଼ା, ୩୦/୦୬ ( ପରମେଶ୍ୱର ମେହେର ) : ଭିବି-ଜି ରାମ ଜି (Viksit Bharat – Guarantee for Rozgar and Ajeevika Mission) ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ନେଇ ବ୍ଲକ୍ ଅଧିକାରୀ ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ନିମନ୍ତେ ଏକଦିନିଆ ପ୍ରଶିକ୍ଷଣ ଶିବିର ମଙ୍ଗଳବାର ନୂଆପଡ଼ା ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଛି। ଜିଲ୍ଲା ପରିଷଦ, ନୂଆପଡ଼ା ପକ୍ଷରୁ ଆୟୋଜିତ ଏହି ଶିବିର ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ଏଥିରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଲମ୍ବୋଦର ଧରୁଆ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ କ୍ଷମାନିଧି ଭୋଇଙ୍କ ସମେତ ସମସ୍ତ ବିଡିଓ ଓ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗଦେଇଥିଲେ।ଭିବି-ଜି ରାମ ଜି ଯୋଜନା ଗ୍ରାମୀଣ ପରିବାରକୁ ରୋଜଗାର ନିଶ୍ଚିତତା ଯୋଗାଇବା ସହ ଗ୍ରାମାଞ୍ଚଳରେ ସ୍ଥାୟୀ ସମ୍ପତ୍ତି ସୃଷ୍ଟି ଉପରେ ଆଧାରିତ। ଏହି ଯୋଜନାରେ ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ୧୨୫ ଦିନର ମଜୁରି ଭିତ୍ତିକ ରୋଜଗାର ଯୋଗାଇବାର ବ୍ୟବସ୍ଥା ରହିଛି। ପ୍ରଶିକ୍ଷଣ ଶିବିରରେ ଜିଲ୍ଲାପାଳ ଶ୍ରୀ ଦାଶ ଯୋଜନାର ସୁଚାରୁ ରୂପାୟନ ପାଇଁ ସମସ୍ତ ବିଭାଗର ସମନ୍ୱୟ ଓ ଟିମ୍ ସ୍ପିରିଟ୍ରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ବିଡିଓମାନେ ଯୋଜନାର ସମସ୍ତ ନିୟମ ଓ କାର୍ଯ୍ୟପଦ୍ଧତି ସମ୍ପର୍କରେ ସ୍ପଷ୍ଟ ଧାରଣା ରଖି କ୍ଷେତ୍ରସ୍ତରରେ ଏହାକୁ ସଫଳ କରିବାକୁ ସେ କହିଥିଲେ। ସେ କହିଥିଲେ, ଯୋଜନାର ଉଦ୍ଦେଶ୍ୟ କେବଳ ରୋଜଗାର ଯୋଗାଇବା ନୁହେଁ, ବରଂ ଗ୍ରାମାଞ୍ଚଳରେ ଦୀର୍ଘସ୍ଥାୟୀ ଭିତ୍ତିଭୂମି ଓ ସମ୍ପତ୍ତି ସୃଷ୍ଟି କରିବା। ଆସନ୍ତାକାଲିଠାରୁ ଯୋଜନାର କାର୍ଯ୍ୟ ଆରମ୍ଭ ହେବାକୁ ଥିବାରୁ ପ୍ରକଳ୍ପ ସ୍ଥଳରେ ପିଲାର ସ୍ଥାପନ ସୁନିଶ୍ଚିତ କରିବା , କାର୍ଯ୍ୟର ନିୟମିତ ତଦାରଖ ଓ ମନିଟରିଂ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାରେ ଥିବା ପ୍ରବାସୀ ଶ୍ରମିକମାନଙ୍କୁ ଯୋଜନାରେ ସାମିଲ କରି ଶତ ପ୍ରତିଶତ ନିୟୋଜନ ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଯୋଜନା କାର୍ଯ୍ୟାନ୍ୱୟନରେ କୌଣସି ଅବହେଳା, ଅନିୟମିତତା କିମ୍ବା ତ୍ରୁଟି ଦେଖାଦେଲେ ଦାୟୀଙ୍କ ବିରୋଧରେ ନିୟମାନୁସାରେ ପଦକ୍ଷେପ ନିଆଯିବ ବୋଲି ସେ ସତର୍କ କରିଥିଲେ। ପ୍ରଶିକ୍ଷଣରେ ଯୋଜନାର କାର୍ଯ୍ୟପ୍ରଣାଳୀ, ଯୋଜନା ପ୍ରସ୍ତୁତି, ନିରୀକ୍ଷଣ ଓ ମନିଟରିଂ ସମ୍ପର୍କରେ ଅଧିକାରୀମାନଙ୍କୁ ତାଲିମ ଦିଆଯାଇଥିଲା।