Hot Posts

6/recent/ticker-posts

ଅଜଣା ଗାଡି ଧକ୍କାରେ କ୍ଷତବିକ୍ଷତ ହେଟାବାଘ ଉଦ୍ଧାର କଲା ମାଲକାନାଗିରି ବନ ବିଭାଗ

ମାଲକାନଗିରି , ୨୧/୦୫ ( ଶରତ ଚନ୍ଦ୍ର ଖରା ) : ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଗୋଟିଏ ଅଜଣା ଗାଡି ଧକ୍କାରେ ଗୁରୁତର ଆହତ ହୋଇଛି ହେଟାବାଘ । ଫୋନ୍ ଯୋଗେ ଖବର ପାଇବା ପରେ ବନ ବିଭାଗର ଆର.ଆର.ଟି ଟିମ୍ ଘଟଣାସ୍ଥଳରେ ପହଂଚି ବାଘଟିକୁ ଉଦ୍ଧାର କରିଛନ୍ତି । ସୂଚନା ଅନୁଯାୟୀ, ମାଲକାନାଗିରି ଜିଲ୍ଲା କୋରୁକୋଣ୍ଡା ମୂଖ୍ୟରାସ୍ତା ଏମ ଭି ୧୧ ନମ୍ବର ବ୍ରିଜ୍ ପାଖରେ ଏକ ହେଟାବାଘ ପଡ଼ିରହିଥିବା ଦେଖି ବନ ବିଭାଗକୁ ସ୍ଥାନୀୟ ଲୋକେ ଖବର ଦେଇଥିଲେ । ଖବର ପାଇବା ପରେ ମାଲକାନାଗିରି ରେଞ୍ଜର ରମେଶ କୁମାର ରାଉତଙ୍କ ନିର୍ଦ୍ଦେଶ କ୍ରମେ ବନ ବିଭାଗର ଏକ ସ୍ୱତନ୍ତ୍ର ରେସ୍କ୍ୟୁ ଗାଡି ସହ ଆର.ଆର.ଟି ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଂଚିଥିଲେ। ତେବେ ସକାଳ ସମୟରେ କୌଣସି ଏକ ଅଜଣା ଗାଡି ସହ ଧକ୍କା ହେବା ଫଳରେ ହେଟାବାଘ ର ଆଗ ଦୁଇଟି ଗୋଡ଼ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। କେବଳ ସେତିକି ନୁହେଁ, ସେଠାରେ ଉପସ୍ଥିତ କିଛି ଲୋକଙ୍କ ଆକ୍ରମଣରେ ତାର ଆଖିରେ ମଧ୍ୟ ଗଭୀର ଆଘାତ ଲାଗିଥିବା ଜଣା ପଡିଛି । ବନ ବିଭାଗ ପକ୍ଷରୁ ବାଘଟିକୁ ସଫଳତାର ସହ ରେସ୍କ୍ୟୁ କରାଯାଇ ମାଲକାନାଗିରି ରେଞ୍ଜ ଅଫିସକୁ ଅଣାଯାଇ ସେଠାରେ ତାର ପ୍ରାଥମିକ ଚିକିତ୍ସା କରି ଅଧିକ ଏବଂ ଉନ୍ନତମାନର ଚିକିତ୍ସା ପାଇଁ ତାକୁ ନବରଙ୍ଗପୁର ସ୍ଥିତ ରେସ୍କ୍ୟୁ ସେଂଟରକୁ ପଠାଯାଉଥିବା କଥା ରେଞ୍ଜର ଶ୍ରୀ ରାଉତ କହିଛନ୍ତି । ଯେଉଁଠାରେ ଅଭିଜ୍ଞ ଡାକ୍ତରମାନଙ୍କ ତତ୍ୱାବଧାନରେ ତାର ଚିକିତ୍ସା କରାଯିବ। ବାଘଟି ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାକୁ ପୁଣିଥରେ ଜଙ୍ଗଲରେ ଛାଡ଼ିଦିଆଯିବ ବୋଲି ବନ ଅଧିକାରୀ ସୂଚନା ଦେଇଛନ୍ତି।




ମାଲକାନଗିରି ଜିଲ୍ଲା ପ୍ରତିନିଧି ଶ୍ରୀ ଶରତ ଚନ୍ଦ୍ର ଖରା ଙ୍କ ରିପୋର୍ଟ ନବଦୂତ ନ୍ୟୁଜ।