Hot Posts

6/recent/ticker-posts

କନ୍ଧମାଳ ଜିଲ୍ଲାର ନୂତନ ଏସ୍‌ପି ଭାବେ ଦାୟିତ୍ୱ ଗ୍ରହଣ କଲେ ରମେନ୍ଦ୍ର ପ୍ରସାଦ, ଆଇପିଏସ୍‌

ଫୁଲବାଣୀ, ୨୮/୦୫ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ନୂତନ ପୋଲିସ ଅଧିକ୍ଷକ (ଏସ୍‌ପି) ଭାବେ ୨୦୨୨ ବ୍ୟାଚର ଆଇପିଏସ୍‌ ଅଧିକାରୀ ଶ୍ରୀ ରମେନ୍ଦ୍ର ପ୍ରସାଦ ଆନୁଷ୍ଠାନିକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବତନ ଏସ୍‌ପି ଶ୍ରୀ ହରିଶ୍ ବିଶିଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ କନ୍ଧମାଳ ପୋଲିସ ପରିବାରରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି। ୨୭ ମେ ୨୦୨୬ ତାରିଖରେ ଶ୍ରୀ ପ୍ରସାଦ କନ୍ଧମାଳ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ପହଞ୍ଚି ନୂତନ ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ଅବସରରେ ପୂର୍ବତନ ଏସ୍‌ପି ଶ୍ରୀ ହରିଶ୍ ବିଶି, ପୋଲିସର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ସ୍ୱାଗତ ଜଣାଇଥିଲେ। ଦାୟିତ୍ୱ ଗ୍ରହଣ ପରେ ନୂତନ ଏସ୍‌ପି ଜିଲ୍ଲାର ସାମଗ୍ରିକ ଆଇନ-ଶୃଙ୍ଖଳା ପରିସ୍ଥିତି ଓ ପୋଲିସ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ବରିଷ୍ଠ ଅଧିକାରୀ ଓ ସାମ୍ବାଦିକ ମାନଙ୍କ ଆଲୋଚନା କରିଥିବା ସୂଚନା ମିଳିଛି। ଶ୍ରୀ ରମେନ୍ଦ୍ର ପ୍ରସାଦ ପୂର୍ବରୁ ରାୟଗଡ଼ା ଜିଲ୍ଲାରେ ଅତିରିକ୍ତ ଏସ୍‌ପି ଭାବେ କାର୍ଯ୍ୟରତ ଥିଲେ। ଏହାସହ ପୂର୍ବରୁ ସେ କନ୍ଧମାଳ ଜିଲ୍ଲାରେ ଅତିରିକ୍ତ ଏସ୍‌ପି ଓ ବାଲିଗୁଡା ଏସ୍‌ଡିପିଓ ଭାବେ ମଧ୍ୟ କାର୍ଯ୍ୟନିର୍ବାହ କରିସାରିଛନ୍ତି। ଫଳରେ କନ୍ଧମାଳ ଜିଲ୍ଲାର ଭୌଗୋଳିକ, ସାମାଜିକ ଓ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ଦିଗ ସମ୍ପର୍କରେ ତାଙ୍କର ଭଲ ଅଭିଜ୍ଞତା ଓ ଧାରଣା ରହିଥିବା ପ୍ରକାଶ ପାଇଛି।ଦାୟିତ୍ୱ ଗ୍ରହଣ ପରେ ଶ୍ରୀ ପ୍ରସାଦ କହିଛନ୍ତି ଯେ, କନ୍ଧମାଳ ଜିଲ୍ଲାକୁ ଗଞ୍ଜେଇ କାରବାର ମୁକ୍ତ କରିବା ସହ ଆଇନ-ଶୃଙ୍ଖଳା ସୁଦୃଢ଼କରଣ, ଟ୍ରାଫିକ ପରିଚାଳନା, ଅପରାଧ ନିୟନ୍ତ୍ରଣ ଓ ଜନସୁରକ୍ଷାକୁ ପ୍ରାଥମିକତା ଦିଆଯିବ। ବିଶେଷକରି ସମ୍ବେଦନଶୀଳ ଅଞ୍ଚଳରେ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ସହ ମହିଳା ସୁରକ୍ଷା ପ୍ରତି ଅଧିକ ଗୁରୁତ୍ୱ ଦିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ଜିଲ୍ଲାରେ ଲୋକମୁଖୀ ପୋଲିସିଂକୁ ଅଧିକ ସୁଦୃଢ଼ କରାଯିବ। ସାଧାରଣ ଲୋକଙ୍କ ସହ ପୋଲିସର ସମନ୍ୱୟ ବଢ଼ାଇବା, ଜନସାଧାରଣଙ୍କ ଅଭିଯୋଗର ଶୀଘ୍ର ସମାଧାନ ଓ ଅପରାଧ ଦମନକୁ ପ୍ରାଥମ୍ୟ ଦିଆଯିବ। ପୋଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ବିଶ୍ୱାସ ଓ ସହଯୋଗ ବଢ଼ିଲେ ଜିଲ୍ଲାରେ ଶାନ୍ତି ଓ ସୁରକ୍ଷା ବ୍ୟବସ୍ଥା ଆହୁରି ମଜବୁତ ହେବ ବୋଲି ସେ ମତ ପ୍ରକାଶ କରିଛନ୍ତି ।ନୂତନ ଏସ୍‌ପିଙ୍କ ଦାୟିତ୍ୱ ଗ୍ରହଣକୁ ନେଇ କନ୍ଧମାଳ ପୋଲିସ ମହଳ ସହ ସାଧାରଣ ଲୋକଙ୍କ ମଧ୍ୟରେ ମଧ୍ୟ ଆଶା ଓ ଉତ୍ସାହ ଦେଖାଦେଇଛି। ଜିଲ୍ଲାରେ ଶାନ୍ତି, ସୁରକ୍ଷା, ଅପରାଧ ନିୟନ୍ତ୍ରଣ ଓ ଲୋକସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଦିଗରେ ତାଙ୍କ ନେତୃତ୍ୱ ଫଳପ୍ରଦ ହେବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି।