Hot Posts

6/recent/ticker-posts

ଓପିଏସ୍‌ସି ପରୀକ୍ଷାରେ କୃତିତ୍ୱ ହାସଲ କଲେ ଗୁରୁ ପ୍ରସାଦ ସାହୁ ଓ ପୁଜାରାଣୀ ନାୟକ, ଖଜୁରୀପଡ଼ା ବିଡିଓଙ୍କ ପକ୍ଷରୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା, ଯୁବ ପିଢ଼ୀ ପାଇଁ ପ୍ରେରଣା

ଚକାପାଦ, ୨୮/୦୫ (ଅଚ୍ୟୁତ ଜାନୀ) : ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସସି) ପରୀକ୍ଷା–୨୦୨୪ରେ କୃତିତ୍ୱ ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି ଗୁରୁ ପ୍ରସାଦ ସାହୁ ଓ ସୁଶ୍ରୀ ପୁଜାରାଣୀ ନାୟକ। ଏହି ସଫଳତାକୁ ନେଇ ଚକାପାଦ ଅଞ୍ଚଳରେ ଖୁସିର ପରିବେଶ ଦେଖାଦେଇଛି। ଓପିଏସ୍‌ସି ପରୀକ୍ଷାରେ କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣପାଦ ଗ୍ରାମର ଗୁରୁ ପ୍ରସାଦ ସାହୁ ୧୧୫ତମ ସ୍ଥାନ ଅଧିକାର କରିଥିବା ବେଳେ କୁସୁମେଣ୍ଡି ପଞ୍ଚାୟତ ଅନ୍ତର୍ଗତ ବରସାହି ଗ୍ରାମର ସୁଶ୍ରୀ ପୂଜାରାଣୀ ନାୟକ ୧୨୨ତମ ସ୍ଥାନ ହାସଲ କରିଛନ୍ତି। ଏହି ଅବସରରେ ଖଜୁରୀପଡ଼ା ବ୍ଲକର ବିଡିଓ ଶ୍ରୀ ଶୁଭ ଦତ୍ତାତ୍ରେୟ ବାହିନୀପତି ଓ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ସାହୁ ଗୁରୁ ପ୍ରସାଦ ସାହୁଙ୍କୁ ସାକ୍ଷାତ କରି ତାଙ୍କ ସଫଳତା ପାଇଁ ସମ୍ବର୍ଦ୍ଧିତ କରିଥିଲେ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ।ଅନ୍ୟପଟେ, ସୁଶ୍ରୀ ପୂଜା ରାଣୀ ନାୟକଙ୍କ ସହ ସମ୍ପର୍କ କରାଯାଇଥିଲେ ମଧ୍ୟ ସେ ସେତେବେଳେ ଉପସ୍ଥିତ ନଥିବାରୁ ସାକ୍ଷାତ ସମ୍ଭବ ହୋଇପାରିନଥିଲା। ତଥାପି ଖଜୁରୀପଡ଼ା ବିଡିଓ ଓ ସାମାଜିକ ସୁରକ୍ଷା ଅଧିକାରୀ ଉଭୟ କୃତୀ ପରୀକ୍ଷାର୍ଥୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ, ଗ୍ରାମାଞ୍ଚଳରୁ ଏଭଳି ସଫଳତା ଆସିବା ଅନ୍ୟ ଓପିଏସ୍‌ସି ଆଶାୟୀ ପ୍ରାର୍ଥୀମାନଙ୍କ ପାଇଁ ନିଶ୍ଚୟ ପ୍ରେରଣାଦାୟକ ହେବ। କଠିନ ପରିଶ୍ରମ, ନିଷ୍ଠା ଓ ଅଦମ୍ୟ ଇଚ୍ଛାଶକ୍ତି ଥିଲେ ସଫଳତା ନିଶ୍ଚିତ ମିଳେ ବୋଲି ଏହି କୃତୀ ଛାତ୍ରଛାତ୍ରୀମାନେ ପ୍ରମାଣ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଓ ସାଧାରଣ ଲୋକମାନେ ମଧ୍ୟ ଉଭୟ କୃତୀ ପରୀକ୍ଷାର୍ଥୀଙ୍କୁ ଅଭିନନ୍ଦନ ଜଣାଇଥିବା ବେଳେ ତାଙ୍କର ଏହି ସଫଳତା ଚକାପାଦ ଅଞ୍ଚଳ ପାଇଁ ଗୌରବର ବିଷୟ ବୋଲି କହିଛନ୍ତି।