ରାଜାତୋଟା ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପିତ
ବରୀ, ୨୧/୦୪ ( ରଂଜିତ ମହାନ୍ତି ) : ବରୀ ବ୍ଲକ ଅନ୍ତର୍ଗତ ବାଲିବିଲି ଗ୍ରାମ ପଞ୍ଚାୟତ ର ରାଜାତୋଟା ଠାରେ ସର୍ବ ପୁରାତନ ଅଗ୍ନିଷ୍ଟୋମ ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପିତ ହୋଇଯାଇଅଛି । ମହାବିଷୁବ ସଂକ୍ରାନ୍ତି ପର ଦିନ ଠାରୁ ସାତଦିନ ବ୍ୟାପୀ ଷୋଡ଼ଶ ଉପଚାର କଳସ ଯାତ୍ରା, ସୂର୍ଯ୍ୟ ପୂଜା, ଧେନୁ ପୂଜା, ସପ୍ତସତୀ ଚଣ୍ଡୀ, ଗୀତା ଯଜ୍ଞ, ଅନ୍ନଯଜ୍ଞ ଏବଂ ସାପ୍ତାହିକ ଭାଗବତ ପାରାୟଣ ଅନୁଷ୍ଠିତ ହୋଇଯାଇଅଛି ଏବଂ ସ୍ଥାନୀୟ ଲୋକଙ୍କ ମନୋରଞ୍ଜନ ଏବଂ ଭାଇଚାରା ସୃଷ୍ଟି ଉଦ୍ଦେଶ୍ୟରେ "ମା ବନଦୂର୍ଗା ଗଣନାଟ୍ୟ" ତରଫରୁ ଯାତ୍ରା ପରିବେଷଣ ହୋଇଯାଇଅଛି । ସାତ ଦିନ ବ୍ୟାପୀ ଶ୍ରୀମଦ୍ ଭାଗବତ ପାଠ, ଗୀତା ଯଜ୍ଞ ସଂକୀର୍ତ୍ତନ,ହରିବୋଲ ହୁଳହୁଳି ରେ ସମ୍ପୂର୍ଣ୍ଣ ଅଞ୍ଚଳ ଟି ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଏହି କାର୍ଯ୍ୟକ୍ରମ ଟିକୁ ପଣ୍ଡିତ ରାମଚନ୍ଦ୍ର ପଣ୍ଡା ଙ୍କ ପୌରହିତ୍ୟରେ ପଣ୍ଡିତ ସର୍ବଶ୍ରୀ ଉପେନ୍ଦ୍ର କଣ୍ଠ, ନିର୍ମଳ ପଣ୍ଡା, ଡଃ ଅରୁଣ କୁମାର ପତି, ହରିହର ପଣ୍ଡା ପ୍ରଭୃତି ଯଜ୍ଞାଷ୍ଟମ କାର୍ଯ୍ୟ ସଞ୍ଚାଳିତ କରୁଥିବା ବେଳେ କାଶୀନାଥ ପଣ୍ଡା, ରମେଶ ଚନ୍ଦ୍ର ପତି, ଅମର ପାଢ଼ୀ, ଡାଙ୍ଗୁଆ ନନା ପ୍ରଭୃତି ଭାଗବତ ପାରାୟଣ କରିଥିଲେ । ବାଲିବିଲ, ଭବାନୀପୁର, ଅଲିପୁର, କେଁକରଡା, ଖେମେଶ୍ଵର, ଅଣିକଣା, ବେଞ୍ଜରାପୁର, ଅନ୍ୟାସୀପୁର ପ୍ରଭୃତି ଅଞ୍ଚଳରୁ ଶତାଧିକ ଶ୍ରଦ୍ଧାଳୁ ପୂର୍ଣ୍ଣାହୂତି ରେ ଯୋଗ ଦେଇ ବିଶ୍ଵ ଶାନ୍ତି ସହିତ ସୂଜ୍ଵଳା ସୁଫଳା,ଶସ୍ୟ ଭରା ଶସ୍ୟ କ୍ଷେତ୍ର ର କାମନା ରଖିଥିଲେ। ସଙ୍କୀର୍ତ୍ତନ, ହରିବୋଲ, ହୁଳହୁଳି ଧ୍ବନିରେ ଯଜ୍ଞ ପୂର୍ଣ୍ଣାହୂତି ସମାପନ ହୋଇଥିଲା।