ମରଣଯନ୍ତାରେ ପରିଣତ ଘୋଡ଼ାପଥର–ବଲସକୁମ୍ପା ପ୍ରଧାନ ମନ୍ତ୍ରୀ ରାସ୍ତା: ଅବହେଳାରେ ପ୍ରଶାସନ, ବଢ଼ୁଛି ଦୁର୍ଘଟଣା ଆଶଙ୍କା
ଖଜୁରୀପଡ଼ା, ୧୫/୪ (ଅଚ୍ୟୁତ ଜାନୀ) : ରାଜ୍ୟ ସରକାର ଗମନାଗମନ ସୁବିଧା ବୃଦ୍ଧି ପାଇଁ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟ କରି ରାସ୍ତା ନିର୍ମାଣ କରୁଥିବା ବେଳେ, ତାହାର ରକ୍ଷଣାବେକ୍ଷଣରେ ଅବହେଳା ଦେଖାଯାଉଥିବାରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଆଡାସିପଡ଼ା ପଞ୍ଚାୟତର ଘୋଡ଼ାପଥର ଠାରୁ ବଲସକୁମ୍ପା ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ସଡ଼କ ଦୀର୍ଘଦିନ ଧରି ମରଣଯନ୍ତାରେ ପରିଣତ ହୋଇପଡ଼ିଛି। ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲ ଓ ଢିପ ସୃଷ୍ଟି ହୋଇଥିବା ସହ ମେଟାଲ ବାହାରି ଆସିଥିବାରୁ ଯାତାୟାତ କରିବା ଅତ୍ୟନ୍ତ ବିପଦଜନକ ହୋଇପଡ଼ିଛି।ଏହି ଅବସ୍ଥାରେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ସହ କେତେକ ଘଟଣାରେ ପ୍ରାଣହାନି ହେଉଥିବା ଅଭିଯୋଗ ମଧ୍ୟ ଆସୁଛି। ଏହା ସତ୍ତ୍ୱେ ଅଞ୍ଚଳବାସୀ ଓ ଗଣମାଧ୍ୟମ ମାଧ୍ୟମରେ ପ୍ରଶାସନଙ୍କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ, ଏପର୍ଯ୍ୟନ୍ତ କୌଣସି ଫଳପ୍ରଦ ପଦକ୍ଷେପ ଗ୍ରହଣ କରାଯାଇନଥିବା ଦେଖାଯାଉଛି। ଏହି ପରିସ୍ଥିତିରେ ଉଚ୍ଚ କର୍ତ୍ତୃପକ୍ଷ ତତକ୍ଷାଣାତ୍ ହସ୍ତକ୍ଷେପ କରି ଉକ୍ତ ରାସ୍ତାର ମରାମତି କାର୍ଯ୍ୟ ଶୀଘ୍ର ଆରମ୍ଭ କରିବା ପାଇଁ ଅଞ୍ଚଳର ଜନସାଧାରଣ ଓ ବୁଦ୍ଧିଜୀବୀ ମହଳରୁ ଜୋରଦାର ଦାବି ହେଉଛି।