ବରକିଭଟ୍ଟା ଗାଁ ରେ ମଦ ବିକ୍ରି ବନ୍ଦ ନେଇ ଶତାଧିକ ଗ୍ରାମବାସୀଙ୍କ ବୈଠକ ଓ ନିଷ୍ପତି ଗ୍ରହଣ ।
ଝରିଗାଁ, ୧୪/୦୪ (ନକୁଲ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଚାକଲା ପଦର ପଞ୍ଚାୟତର ବରକିଭଟ୍ଟା ଗାଁ ରେ ଶତାଧିକ ଗ୍ରାମବାସୀଙ୍କୁ ନେଇ ନିଶା ନିବାରଣ ପାଇଁ ଆଜି ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ଗାଁ ରେ ରହିଥିବା ୯୧ ପରିବାର ମଧ୍ୟରୁ ୮ ଟି ପରିବାର ମଦ ବିକ୍ରି କରୁଥିବା ଯୋଗୁଁ ଗାଁ ମଧ୍ୟରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ଯୁବବର୍ଗ ନିଶାଗ୍ରସ୍ତ ହୋଇ ହିଂସାତ୍ମକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ଏମିତିକି ଯୁବ ପିଲା ରାସନ୍ କାର୍ଡ ନେଇ ପଞ୍ଚାୟତ କୁ ଚାଉଳ ପାଇଁ ଯାଇ ଚାଉଳ ଆଣି ବିକ୍ରୀ କରି ମଦ ପିଇ ପରିବାରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି। ସ୍ୱାସ୍ଥ୍ୟ ହାନି ହେବା ସହ ଆର୍ଥିକ କ୍ଷତି ହେଉଛି। ଯୁବ ପିଲା ଓ ମଧ୍ୟ ବୟସ୍କ ପୁରୁଷ ଧୀରେ ଧୀରେ ନିଶା ପ୍ରତି ଏକ ଅହେତୁକ ଆକର୍ଷଣ ବଢିବାରେ ଲାଗିଛି। ଯାହା ଫଳରେ ସମାଜ ଓ ପରିବାର ରେ ହିଂସାତ୍ମକ ଘଟଣା ସଂଘଟିତ ହେବାରେ ଲାଗିଛି। ନିଶା ସେବନ ପାଇଁ କେହି ତ ଜମି ବନ୍ଧା କରୁଛି ତ ଆଉ କେହି ସୁନା ଗହଣା ଓ ଘୋରେଇ ଜିନିଷ ବିକ୍ରି କରି ତଳିତଳାନ୍ତ ହେଉଛନ୍ତି। ଆଧାର କାର୍ଡ ଓ ବିଭିନ୍ନ ସରକାରୀ କାର୍ଯ୍ୟ ନେଇ ବ୍ଲକ କୁ ଆସୁଥିବା ବେଳେ ଘରୁ ଆଣିଥିବା ଟଙ୍କା ମଦ ପିଆରେ ଖର୍ଚ୍ଚ କରି ଖାଲି ହାତରେ ଘରକୁ ଫେରୁଛନ୍ତି। ଘରେ ପରିବାର ଲୋକେ ପଚାରିଲେ କଳି ଝଗଡା ମାରପିଟ କରୁଛନ୍ତି। ଗ୍ରାମବାସୀଙ୍କ କହିବା ପ୍ରକାରେ ନିଶା ଅଭ୍ୟସ୍ତ ହେବା ପରେ ଘରେ ଥିବା ଟଙ୍କା ଓ ବିଭିନ୍ନ ସାମଗ୍ରୀ ବିକ୍ରି କରି ନିଶା ସେବନ କରୁଛନ୍ତି। ଏହାର ପ୍ରତିବାଦ ପରିବାର ଲୋକ କଲେ ବେଖାତିର କରି ଘରେ ଗଣ୍ଡଗୋଳ କରୁଛନ୍ତି। ଦେଶୀ ମଦ ବିଦେଶୀ ମଦ ଓ ଗଞ୍ଜେଇ ମଧ୍ୟ ବିକ୍ରି ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ନିଶା ବିକ୍ରି କରୁଥିବା ବ୍ୟବସାୟୀ ଙ୍କୁ ବୈଠକ କୁ ବାରମ୍ବାର ଡ଼ାକିବା ସତ୍ତ୍ୱେ ବୈଠକ ଆସିନଥିଲେ ବ୍ୟବସାୟୀ। ତେଣୁ ଆଜି ଗାଁ ରେ ସମ୍ପୂର୍ଣ୍ଣ ନିଶା ବନ୍ଦ କରିବା ନେଇ ଗ୍ରାମବାସୀ କୋଠର ନିଷ୍ପତି ଗ୍ରହଣ କରିଛନ୍ତି। ଗ୍ରାମବାସୀଙ୍କ ନିଷ୍ପତି କ୍ରମେ ଯେଉଁ ବ୍ୟବସାୟୀ ମନା କରିବା ସତ୍ତ୍ୱେ ମଦ ବିକ୍ରିରୁ ନିବୃତ୍ତ ହେବନାହିଁ ତାକୁ ଲକ୍ଷେ ଟଙ୍କା ଜୋରିମାନା ଆଦାୟ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ତତ୍ ସହିତ ଗାଁ ରୁ ତାକୁ ବିତାଡ଼ିତ କରାଯିବ। ସେହିପରି ଗାଁ ବାହାରକୁ ଯାଇ ମଦ୍ୟ ପାନ କରୁଥିବା ବ୍ୟକ୍ତି ଚିହ୍ନଟ ହେଲେ ପାଞ୍ଚ ହଜାର ଟଙ୍କା ଜୋରିମାନା ସହ ଗାଁ ରୁ ବହିଷ୍କାର କରାଯିବା ନେଇ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି। ବ୍ଲକରେ ପଞ୍ଜିକୃତ ଗୋଟିଏ ଠିପି ଖୋଲା ବିଦେଶୀ ମଦ ଦୋକାନ ( ବାର୍ ) ରହିଥିବା ବେଳେ ଆଉ ଗୋଟିଏ ଲାଇସେନ୍ସ ଠିପି ବନ୍ଦ ମଦ ଦୋକାନ ରହିଛି। ପରିତାପର ବିଷୟ ଯେ ଏହି ଦୁଇ ପଞ୍ଜିକୃତ ମଦ ଦୋକାନ ରୁ ଝରିଗାଁ ବ୍ଲକର ବିଭିନ୍ନ ଅଞ୍ଚଳକୁ ଲୋଡ ଲୋଡ ବିଦେଶୀ ମଦ ରପ୍ତାନି କରାଯାଉଛି। ଅନ୍ୟପକ୍ଷେ ଅବକାରୀ ବିଭାଗ କିଛି ଗରିବ ପରିବାର ଦେଶୀ ମଦ ବିକ୍ରି କରୁଥିବା ବ୍ୟକ୍ତି ଙ୍କୁ ଧରି କୋର୍ଟ ଚାଲାଣ କରୁଛି। ଏପଟେ ମାଳମାଳ ବିଦେଶୀ ମଦ ଗାଁ ଗହଳିରେ ଖୋଲମଖୋଲା ବିକ୍ରି ହେଉଛି। ଯାହାକି ଏକ ହିଂସାମୁକ୍ତ ଶୃଙ୍ଖଳିତ ବିକାଶଶୀଳ ସମାଜ ଗଠନ ପାଇଁ ପ୍ରମୁଖ ପରିବନ୍ଧକ୍ ହୋଇଛି। ଗ୍ରାମବାସୀଙ୍କ ଏହି ପଦକ୍ଷେପ କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଉଛି। ଆଜିର ଏହି ଅନୁଷ୍ଠିତ ନିଶା ନିବାରଣ ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି କୁ ସମସ୍ତଙ୍କୁ ମାନିବାକୁ ପଡିବ ବୋଲି ଗାଁ ମୁଖିଆ ପ୍ରମୁଖ ବ୍ୟକ୍ତି ମଧ୍ୟରେ ଗାଁ ଗାଉଁଟିଆ କମଲୋଚନ ପୂଜାରୀ , ଜମିଦାର ଘାସିରାମ ପୂଜାରୀ, ଅନାମ ଗୌଡ଼ , କମଳୁ ଗୌଡ଼, ମନବୋଧ ପୂଜାରୀ , ବୀଣା ଗୌଡ , ସମାଜସେବୀ ବୈକୁଣ୍ଠ ପୂଜାରୀ ଓ ଥବିର ପୂଜାରୀ ପ୍ରମୁଖ ଙ୍କ ନେତୃତ୍ୱରେ ବୈଠକର ଆୟୋଜନ ହୋଇଥିଲା