ଝରଣାମାଲ ଜଙ୍ଗଳରେ ଏକାକୀ ହାତୀ: ଡ୍ରୋନରେ କଢ଼ା ନଜର, ଗ୍ରାମବାସୀଙ୍କୁ ସତର୍କତା ଜାରି
ନୂଆପଡ଼ା, ୦୬/୦୪ ( ବନ ବିହାରି ମେହେର ) : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ଅନ୍ତର୍ଗତ ଝରଣାମାଲ ଜଙ୍ଗଳ ଅଞ୍ଚଳରେ ଏକ ଏକାକୀ ହାତୀ ଚଳାଚଳ କରୁଥିବା ଦେଖିବାକୁ ମିଳିଛି। ଜଙ୍ଗଳ ସହିତ ଆସପାସ ଅଞ୍ଚଳକୁ ଏହାର ଗତିବିଧି ବଢ଼ିଥିବାରୁ ବନ ବିଭାଗ ଓ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ହାତୀର ଚଳାଚଳ ଉପରେ ନିରନ୍ତର ନଜର ରଖିବା ପାଇଁ ଡ୍ରୋନ ସହାୟତା ନିଆଯାଉଛି ବୋଲି ବନ କର୍ମଚାରୀ ଅଜିଜ ଖାନ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବନ ବିଭାଗର ଟିମ୍ ହାତୀର ଗତିବିଧି ଉପରେ ସତର୍କ ନଜର ରଖିବା ସହିତ ଗ୍ରାମବାସୀଙ୍କୁ ସଚେତନ କରୁଛନ୍ତି। ହାତୀଟି ଗାଁ ନିକଟକୁ ଆସିବା ସମ୍ଭାବନା ଥିବାରୁ ଜନସାଧାରଣଙ୍କୁ ରାତିରେ ବାହାରକୁ ନଯିବାକୁ ଓ ଏକାକୀ ଜଙ୍ଗଳ ଅଞ୍ଚଳକୁ ନପସିବାକୁ ପରାମର୍ଶ ଦିଆଯାଇଛି। ପରିସ୍ଥିତି ଦୃଷ୍ଟିରେ ଆବଶ୍ୟକ ସ୍ଥାନରେ ବିଜୁଳି କାଟ କରାଯାଉଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ସ୍ଥାନୀୟ ଲୋକମାନଙ୍କୁ ଅନୁରୋଧ କରାଯାଇଛି ଯେ, ହାତୀକୁ ଦେଖିଲେ ତୁରନ୍ତ ବନ ବିଭାଗକୁ ସୂଚନା ଦେଇ ସୁରକ୍ଷିତ ଦୂରତା ବଜାୟ ରଖନ୍ତୁ।