ଶିକାର ପାଇଁ ଡାକି ନେଇ ସାଙ୍ଗକୁ ଗୁଳି କରି ହତ୍ୟା ଟିକାବାଲି ଥାନା ରେ ଅଭିଯୋଗ
ଚକାପାଦ, ୨୦/୦୪ : ( ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକ ଅନ୍ତର୍ଗତ ଲାଇନପଡା ଫାଣ୍ଡି ଅଧୀନ କୁସୁମେଣ୍ଡି ପଞ୍ଚାୟତର ବୁଡ଼େଣୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶିକାର କରିବାକୁ ଜଙ୍ଗଲକୁ ଡାକି ନେଇ ଜଣେ ୧୬ ବର୍ଷର ନାବାଳକକୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ମାଧବ କହଁରଙ୍କ ପୁଅ ବିଭୁତି କହଁର (୧୬)।ସୂଚନା ଅନୁସାରେ, ଗତ ୧୮ ତାରିଖ ରାତି ପ୍ରାୟ ୯ ଟା ସମୟରେ ବିଭୁତି ନିଜ ପରିବାର ସହ ଖାଇସାରି ଶୋଇବାକୁ ପ୍ରସ୍ତୁତ ହେଉଥିଲେ। ଏହି ସମୟରେ ଗ୍ରାମର ପ୍ରତାପ କହଁର (୩୦) ଓ ସୁମନ ବିନ୍ଧାଣି (୨୫) ଦୁଇଟି ଦେଶୀ ବନ୍ଧୁକ ଧରି ବିଭୁତିଙ୍କ ଘରେ ପହଞ୍ଚିଥିଲେ। ଗାଁ ନିକଟସ୍ଥ 'କାମୁଟି' ଜଙ୍ଗଲ କୁ କୁଟୁରା ଶିକାର ପାଇଁ ଯିବାକୁ ସେମାନେ ବିଭୁତିଙ୍କୁ ଡାକିଥିଲେ। ବିଭୁତିଙ୍କ ବାପା ବାରମ୍ବାର ମନା କରିବା ସତ୍ୱେ ସେ ସାଙ୍ଗମାନଙ୍କ ସହ ଜଙ୍ଗଲକୁ ଯାଇଥିଲେ।ଘରୁ ଯିବାର ପ୍ରାୟ ଅଧଘଣ୍ଟା ପରେ ଜଙ୍ଗଲ ମଧ୍ୟରୁ ଗୁଳି ଫୁଟିବାର ଶବ୍ଦ ଶୁଣାଯାଇଥିଲା। ଏହାର କିଛି ସମୟ ପରେ ଅଭିଯୁକ୍ତ ପ୍ରତାପ କହଁର ବିଭୁତିଙ୍କ ଘରକୁ ଆସି "ମୋ ବନ୍ଧୁକରୁ ଗୁଳି ବାଜି ତୁମ ପୁଅ ମରିଗଲା" ବୋଲି କହିଥିଲେ। ପରିବାର ଲୋକେ ଓ ଗ୍ରାମବାସୀ ଘଟଣାସ୍ଥଳକୁ ଯାଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବିଭୁତିଙ୍କ ଶବ ପାଇଥିଲେ। ଏହି ସମୟରେ ଅଭିଯୁକ୍ତ ପ୍ରତାପ ସେଠାରୁ ଫେରାର ହୋଇଯାଇଥିଲେ।ଖବର ପାଇ ଟିକାବାଲି ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା। ମୃତକଙ୍କ ବାପା ମାଧବ କହଁରଙ୍କ ଲିଖିତ ଅଭିଯୋଗ କ୍ରମେ ଟିକାବାଲି ଥାନାରେ କେସ୍ ନମ୍ବର ୮୬/୨୬ ରେ ଏକ ମାମଲା ରୁଜୁ କରାଯାଇଛି। ପୋଲିସ ଅନ୍ୟତମ ସହଯୋଗୀ ସୁମନ ବିନ୍ଧାଣିକୁ ଅଟକ ରଖି ପଚରାଉଚୁରା କରିବା ସହ ଘଟଣାରେ ବ୍ୟବହୃତ ଦୁଇଟି ଦେଶୀ ବନ୍ଧୁକ ଜବତ କରିଛି।ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ବୌଦ୍ଧ ଜିଲ୍ଲାରୁ ଏକ ସାଇଣ୍ଟିଫିକ ଟିମ୍ ପହଞ୍ଚି ବିଭିନ୍ନ ଦିଗରୁ ତଦନ୍ତ କରିବା ସହ ନମୁନା ସଂଗ୍ରହ କରିଛି। ଶବ ବ୍ୟବଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଟିକାବାଲି ଥାନା ଅଧିକାରୀ ସମୀର କୁମାର ବେହେରାଙ୍କ ସୂଚନା ଅନୁସାରେ, ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ।