ବିକଶିତ ଗାଁ ବିକଶିତ ଓଡିଶା ଯୋଜନା " ଝରିଗାଁରେ ବାଟବଣା |କାଗଜ କଲମରେ ଯୋଜନା ସୀମିତ |
ଝରିଗାଁ, ୨୫/୦୩ (ନକୁଳ ଭତ୍ରା) : ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଥିବା ବେଳେ ତନ୍ମଧ୍ୟରେ ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ଟି ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଛି |ଦେଶ ତଥା ରାଜ୍ୟର ଉନ୍ନତି ସେତେବେଳ ଯାଏ ସମ୍ଭବ ନୁହେଁ ଯେତେବେଳ ଯାଏ ଗ୍ରାମାଞ୍ଚଳର ଉନ୍ନତି ନହୋଇଛି |ଗ୍ରାମାଞ୍ଚଳର ସାମଗ୍ରିକ ବିକାଶ ହିଁ ରାଜ୍ୟ ତଥା ଦେଶର ବିକାଶ ପାଇଁ ରାସ୍ତା ପ୍ରଶସ୍ତ କରିବ ଏକଥା କୁ ହୃଦୟଙ୍ଗମ କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ଜରିଆରେ କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି ଓ ଗ୍ରାମାଞ୍ଚଳର ସାମଗ୍ରିକ ବିକାଶକୁ ଆଗେଇ ମଧ୍ୟ ନେଉଛନ୍ତି |ହେଲେ ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଳକରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି |ସରକାର ଝରିଗାଁ ବ୍ଳକରେ ରହୁଥିବା ଗ୍ରାମାଞ୍ଚଳ ଗୁଡିକର ବିକାଶ ପାଇଁ କୋଟି କୋଟି ଟଙ୍କା ପଠାଇ ଥିଲେ ହେଁ ଏଠାରେ କିନ୍ତୁ ବିକାଶର ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନି |ଯାହା ସୂଚନା ମିଳୁଛି ଆର୍ଥିକ ବର୍ଷ 2024-25 ରେ ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ 5କୋଟି 85ଲକ୍ଷ ଟଙ୍କା ଆସିଥିଲା |133ଟି ପ୍ରୋଜେକ୍ଟ ପାଇଁ ଟଙ୍କା ଆସିଥିବା ବେଳେ ତନ୍ମଧ୍ୟରୁ ମାତ୍ର 85ଟି ପ୍ରୋଜେକ୍ଟ ସମ୍ପୂର୍ଣ୍ଣ ହୋଇଥିବା ସୂଚନା ମିଳିଛି |ତେବେ ବଳକା ରହିଥିବା 48ଟି ପ୍ରୋଜେକ୍ଟ କେବେ ସମ୍ପୂର୍ଣ୍ଣ ହେବ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ? ସରକାର ଅଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ମଞ୍ଜୁରୀ କରୁଥିବା ସ୍ୱତେ ବ୍ଳକ ପ୍ରଶାସନର କଚ୍ଛପ ଗତି ପାଇଁ ଅଞ୍ଚଳର ବିକାଶ ଅଟକି ରହୁଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି |ପ୍ରଶାସନ ଯଦି ତତ୍ପରତା ଦେଖାଇଥାନ୍ତା ତେବେ ହୁଏତ ଅଞ୍ଚଳର ବିକାଶ ଦ୍ରୁତ ଗତିରେ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ମାନେ ମତ ଦେଉଛନ୍ତି |