Hot Posts

6/recent/ticker-posts

ହୀରାପୁରରେ ମା ସମଲେଶ୍ୱରୀ ମନ୍ଦିରରେ ରତ୍ନ ମୁଦ ଉତ୍ସବ ଧାର୍ମିକ ଆଡ଼ମ୍ବର ଓ ଉତ୍ସାହରେ ପାଳିତ

ନୂଆପଡ଼ା, ୦୩/୦୨ ( ସୁରେଶ ମହାନନ୍ଦ ) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ହୀରାପୁର ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ମା ସମଲେଶ୍ୱରୀ ମନ୍ଦିରରେ ମାଙ୍କ ପବିତ୍ର ରତ୍ନ ମୁଦ ଉତ୍ସବ ତାରିଖ ୦୧.୦୨.୨୦୨୬ ରେ ବହୁ ଧାର୍ମିକ ଶ୍ରଦ୍ଧା, ଆଡ଼ମ୍ବର ଓ ଉତ୍ସାହର ସହିତ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ଅବସରରେ ସମଗ୍ର ହୀରାପୁର ଗ୍ରାମ ଭକ୍ତିମୟ ପରିବେଶରେ ମୁଗ୍ଧ ହୋଇଉଠିଥିଲା। ଉତ୍ସବ ଅବସରରେ ସକାଳ ସକାଳୁ ମା ସମଲେଶ୍ୱରୀଙ୍କର ମଙ୍ଗଳାଳୟ ପୂଜା, ଘଟସ୍ଥାପନ, କଳଶ ଯାତ୍ରା ଓ ବିଶେଷ ଅର୍ଚ୍ଚନା ଆଦି ଧାର୍ମିକ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ମନ୍ଦିର ପରିସରକୁ ପୁଷ୍ପମାଳା, ଆଲୋକସଜ୍ଜା ଓ ତୋରଣ ଦ୍ୱାରା ସୁସଜ୍ଜିତ କରାଯାଇଥିବାରୁ ସାରା ଅଞ୍ଚଳ ଏକ ଉତ୍ସବମୟ ଆକର୍ଷଣ ରୂପ ନେଇଥିଲା। ଏହି ପବିତ୍ର ରତ୍ନ ମୁଦ ଉତ୍ସବରେ କର୍ତ୍ତା ଭାବରେ ଶ୍ରୀଯୁକ୍ତ ଲକ୍ଷ୍ମୀଧର ମାଝୀ ଓ ଶ୍ରୀମତୀ ବେଲାମତି ମାଝୀ ଦାୟିତ୍ୱ ନିର୍ବାହ କରିଥିଲେ। ପୂଜାରୀ ଭାବରେ ଶ୍ରୀଯୁକ୍ତ କୁବେର ମାଝୀ ଓ ଶ୍ରୀମତୀ କୁନ୍ତଳା ମାଝୀ ନିୟୋଜିତ ଥିବା ବେଳେ ମିସ୍ତ୍ରୀ ଭାବରେ ଶ୍ରୀଯୁକ୍ତ ମହେଶ୍ୱର ସା ଓ ପୁରୋହିତ ଭାବରେ ଶ୍ରୀଯୁକ୍ତ ପୁରନ୍ଦର ହୋତା ବିଧିବଦ୍ଧ ମନ୍ତ୍ରୋଚ୍ଚାରଣ ସହିତ ପୂଜା, ହୋମ, ଯଜ୍ଞ ଓ ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟକ୍ରମ ସମ୍ପନ୍ନ କରି ଉତ୍ସବଟିକୁ ସୁଚାରୁ ଭାବେ ଆୟୋଜନ କରିଥିଲେ। ମାଙ୍କ ରତ୍ନ ମୁଦ ଅବସରରେ ଦେବୀଙ୍କୁ ବିଶେଷ ରତ୍ନାଭୂଷଣ, ପାରମ୍ପରିକ ବେଶଭୂଷା ଓ ପୂଜା ସାମଗ୍ରୀରେ ସୁଶୋଭିତ କରାଯାଇଥିଲା। ଭଜନ, କୀର୍ତ୍ତନ ଓ ଧାର୍ମିକ ଗୀତର ସ୍ୱର ମନ୍ଦିର ପରିସରକୁ ଆନନ୍ଦମୟ କରିଥିବା ବେଳେ ଭକ୍ତମାନେ ଧୂପ, ଦୀପ ଓ ପୁଷ୍ପାର୍ଘ୍ୟ ଦେଇ ମାଙ୍କୁ ପୂଜା କରିଥିଲେ। ଏହି ଧାର୍ମିକ ଉତ୍ସବରେ ହୀରାପୁର ଗ୍ରାମ ସହିତ ପାଖପଡ଼ୋଶୀ ଅନେକ ଗ୍ରାମରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ଯୋଗ ଦେଇଥିଲେ। ଭକ୍ତମାନଙ୍କ ଆଗମନ ଦ୍ୱାରା ଅଞ୍ଚଳରେ ଏକ ମେଳା ସଦୃଶ ପରିବେଶ ସୃଷ୍ଟି ହୋଇଥିଲା। ସ୍ୱେଚ୍ଛାସେବକମାନେ ଶୃଙ୍ଖଳା ରକ୍ଷା, ଭକ୍ତମାନଙ୍କ ସୁବିଧା ଓ ପାନୀୟ ଜଳ ବ୍ୟବସ୍ଥାରେ ସହଯୋଗ କରିଥିଲେ। ଉତ୍ସବ ଶେଷରେ ମାଙ୍କ ମହାପ୍ରସାଦ ବଣ୍ଟନ କରାଯାଇ ଶାନ୍ତି, ଶୃଙ୍ଖଳା ଓ ଭକ୍ତିମୟ ପରିବେଶରେ ଉତ୍ସବଟି ସଫଳ ଭାବେ ସମାପ୍ତ ହୋଇଥିଲା। ଗ୍ରାମବାସୀମାନେ ଏପରି ଧାର୍ମିକ ଉତ୍ସବ ଦ୍ୱାରା ସାମାଜିକ ସମନ୍ୱୟ, ଭାଇଚାରା ଓ ସଂସ୍କୃତିକ ଐତିହ୍ୟ ଆହୁରି ମଜବୁତ ହେଉଥିବା ମତ ପ୍ରକାଶ କରିଥିଲେ।