Hot Posts

6/recent/ticker-posts

ନୂଆପଡ଼ାରେ ସାମାଜିକ ସୁରକ୍ଷା ଯୋଜନାର ସମୀକ୍ଷା ଆରମ୍ଭ ହେବ ‘ଦିବ୍ୟାଙ୍ଗ ମିତ୍ର ପୁରସ୍କାର’ –

ନୂଆପଡ଼ା, ତା. ୦୬/୦୧ ( ସୁରେଶ ମହାନନ୍ଦ ): ନୂଆପଡ଼ା ଜିଲ୍ଲାରେ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ପ୍ରତି ସମର୍ପିତ ସେବାକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ‘ଦିବ୍ୟାଙ୍ଗ ମିତ୍ର ପୁରସ୍କାର’ ଆରମ୍ଭ ହେବ। ପ୍ରତି ମାସରେ ଦିବ୍ୟାଙ୍ଗ ଲୋକମାନଙ୍କୁ ସହାୟତା ଓ ସେବା ଯୋଗାଇଥିବା ଜଣେ ଶ୍ରେଷ୍ଠ ବ୍ୟକ୍ତିଙ୍କୁ ଜିଲ୍ଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯିବ। ଆସନ୍ତା ମାସରୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ମଧୁସୂଦନ ଦାଶ ଆଜି ଘୋଷଣା କରିଛନ୍ତି। ଜିଲ୍ଲାରେ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟାବଳୀର ସମୀକ୍ଷା ସଭାରେ ଏହି ଘୋଷଣା କରାଯାଇଥିଲା। ଉପ ଜିଲ୍ଲାପାଳ ସୁର୍ମି ସୋରେନଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚ ଜଣିଆ ଚୟନ କମିଟି ଗଠନ କରାଯିବ। ଏହି କମିଟିରେ ସଦର ତହସିଲଦାର, ବିଡ଼ିଓ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସଦସ୍ୟ ଭାବେ ରହିବେ। ପ୍ରତି ମାସରେ କମିଟି ଦ୍ୱାରା ଜିଲ୍ଲାରୁ ଦିବ୍ୟାଙ୍ଗଙ୍କୁ ସହାୟତାର ହାତ ବଢ଼ାଇଥିବା ଜଣେ ବ୍ୟକ୍ତିଙ୍କୁ ଚୟନ କରାଯିବ ଏବଂ ତାଙ୍କୁ ଜିଲ୍ଲାପାଳ ସମ୍ମାନିତ କରିବେ। ସଭାରେ ଜାତୀୟ ପରିବାର ସହାୟତା ଯୋଜନା, ବିବାହ ସହାୟତା, ବାର୍ଦ୍ଧକ୍ୟ ଭତ୍ତା, ବାଣୀଶ୍ରୀ ସ୍କଲାର୍ଶିପ ଆଦି ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ଅଗ୍ରଗତି ଉପରେ ମଧ୍ୟ ସମୀକ୍ଷା କରାଯାଇଥିଲା। ଏହି ସଭାରେ ଉପ ଜିଲ୍ଲାପାଳ ସୁର୍ମି ସୋରେନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଧନେଶ୍ୱର ସେଠୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନନ୍ତ କୁମାର ହେମ୍ବ୍ରମ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସ୍ମୃତି ରେଖା ନନ୍ଦ ସହିତ ସଂପୃକ୍ତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।