ନୂଆପଡାରେ “ବାଲ୍ୟ ବିବାହ ମୁକ୍ତ ଭାରତ” ଅଭିଯାନ ଆରମ୍ଭ ଛାତ୍ରଛାତ୍ରୀଙ୍କ ସାମୁହିକ ଶପଥ, ୧୦୮୧ଟି ସ୍କୁଲରେ ସଚେତନତା କାର୍ଯ୍ୟକ୍ରମ
ନୂଆପଡା, ୦୬/୦୧ ( ସୁରେଶ ମହାନନ୍ଦ ) :ନୂଆପଡା ଜିଲ୍ଲାରେ ବାଲ୍ୟ ବିବାହ ପ୍ରତିଷେଧ ଓ ଶିଶୁ ସୁରକ୍ଷା ଦିଗରେ ଏକ ଦୃଢ଼ ପଦକ୍ଷେପ ସ୍ୱରୂପ “ବାଲ୍ୟ ବିବାହ ମୁକ୍ତ ଭାରତ” ଅଭିଯାନର ଶୁଭାରମ୍ଭ ହୋଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ପ୍ରେରଣା ଓ ନିର୍ଦ୍ଦେଶନାରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ, ଜିଲ୍ଲା ମହିଳା ସଶକ୍ତି କେନ୍ଦ୍ର, ଶିକ୍ଷା ବିଭାଗ ଓ ସହଯୋଗୀ ବିଭାଗମାନଙ୍କ ସାମୁହିକ ଉଦ୍ୟମରେ ଏହି ଅଭିଯାନ ଜିଲ୍ଲାରେ ଏକ ସଜୀବ ଆନ୍ଦୋଳନର ରୂପ ନେଇଛି। ଏହି କ୍ରମରେ ଆଜି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଓ ଜିଲ୍ଲା ମହିଳା ସଶକ୍ତି କେନ୍ଦ୍ର, ନୂଆପଡାଙ୍କ ଆନୁକୁଲ୍ୟରେ ଜିଲ୍ଲାର ସମସ୍ତ ସ୍କୁଲରେ ଜାତୀୟ ସ୍ତରରେ ଚାଲୁଥିବା ୧୦୦ ଦିନିଆ ବାଲ୍ୟ ବିବାହ ନିଷେଧ ସଚେତନତା କାର୍ଯ୍ୟକ୍ରମ ଏକାଦିନରେ ସଫଳତାର ସହିତ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଶିକ୍ଷକ-ଶିକ୍ଷୟତ୍ରୀ, ଛାତ୍ର ଓ ଛାତ୍ରୀମାନେ ବାଲ୍ୟ ବିବାହ ବିରୋଧରେ ସାମୁହିକ ଶପଥ ଗ୍ରହଣ କରିଥିଲେ। ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ପିଏମଶ୍ରୀ ନ୍ୟାସନାଲ ଉଚ୍ଚ ବିଦ୍ୟାଳୟ, ନୂଆପଡାରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଶାନ୍ତ କୁମାର ମହାନ୍ତି ଯୋଗଦେଇ ବାଲ୍ୟ ବିବାହ କିପରି ଏକ ଶିଶୁର ଶିକ୍ଷା, ସ୍ୱାସ୍ଥ୍ୟ, ସ୍ୱପ୍ନ ଓ ଆତ୍ମମର୍ଯ୍ୟାଦାକୁ ଅକାଳରେ ଛିନିନେଇଥାଏ, ସେ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ସରଳ ଓ ହୃଦୟସ୍ପର୍ଶୀ ଭାଷାରେ ବୁଝାଇଥିଲେ। ଏହି ଅଭିଯାନରେ Child Marriage Prohibition Act, POCSO ଆଇନ, Sexual Harassment of Women at Workplace (Prevention, Prohibition and Redressal) ଆଇନ ସହିତ ଶିଶୁ ଅଧିକାର ସମ୍ବନ୍ଧୀୟ ବିଭିନ୍ନ ଆଇନଗତ ବ୍ୟବସ୍ଥାକୁ ଭୟ ନୁହେଁ, ବରଂ ଶିଶୁ ସୁରକ୍ଷାର କବଚ ଭାବେ ଉପସ୍ଥାପିତ କରାଯାଇଥିଲା। ସେହିପରି ୧୮୧, ୧୦୯୮ ଓ ୧୧୨ ଚାଇଲ୍ଡ ହେଲ୍ପଲାଇନ ସମ୍ବନ୍ଧରେ ସୂଚନା ଦେଇ ଆବଶ୍ୟକ ବେଳେ ନିର୍ଭୟ ହୋଇ ସାହାଯ୍ୟ ମାଗିବାକୁ ଶିଶୁମାନଙ୍କୁ ଉତ୍ସାହିତ କରାଯାଇଥିଲା। ଜିଲ୍ଲାର ସମସ୍ତ ବ୍ଲକରେ ଅବସ୍ଥିତ ୧୦୮୧ଟି ସ୍କୁଲରେ ଏକ ଦିନରେ ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହୋଇ ହଜାର ହଜାର ଛାତ୍ରଛାତ୍ରୀଙ୍କ ମନରେ ସଚେତନତାର ଦୀପ ଜଳାଇଛି। ବିଦ୍ୟାଳୟ ପରିସର ଏଦିନ କେବଳ ପାଠପଢ଼ାର ସ୍ଥାନ ନୁହେଁ, ବରଂ ଶିଶୁ ଅଧିକାର ଓ ସମ୍ବେଦନଶୀଳତାର ଏକ ସଂଯୁକ୍ତ କ୍ଷେତ୍ରରେ ପରିଣତ ହୋଇଥିଲା। ଶେଷରେ ଛାତ୍ରଛାତ୍ରୀମାନେ ବାଲ୍ୟ ବିବାହ ବିରୋଧରେ ସଚେତନ ରହିବା, ଏହାକୁ ରୋକିବା ଓ ସମାଜରେ ଅନ୍ୟମାନଙ୍କୁ ସଚେତନ କରିବା ପାଇଁ ସାମୁହିକ ଶପଥ ଗ୍ରହଣ କରି, “ବାଲ୍ୟ ବିବାହ ମୁକ୍ତ ନୂଆପଡା” ଗଢ଼ିବାର ସଂକଳ୍ପ ପୁନରୁଚ୍ଚାରଣ କରିଥିଲେ।