ଟାୱାର ଥିଲେ ବି ନେଟ୍ୱର୍କ ନାହିଁ, ତାଳାକୋଟ ଗ୍ରାମବାସୀ ହେଉଛନ୍ତି ଅସୁବିଧାର ସମ୍ମୁଖୀନ
ନୂଆପଡା /ସିନାପାଲି, ୦୬/୦୧ ( ସୁରେଶ ମହାନନ୍ଦ ): ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ଦୁର୍ଗମ ଗ୍ରାମ ତାଳାକୋଟ ରେ JIO ମୋବାଇଲ ଟାୱାର ଥିବା ସତ୍ତ୍ୱେ ନେଟ୍ୱର୍କ ସେବା ପ୍ରାୟ ନାମମାତ୍ର ରହିଛି। ମୋବାଇଲ ଫୋନରେ ସିଗ୍ନାଲ ଦେଖାଯାଉଥିଲେ ବି କଲ୍ ଓ ଇଣ୍ଟରନେଟ ସେବା ବ୍ୟବହାର ସମୟରେ ଲୋକେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗ୍ରାମର ଅନେକ ଛାତ୍ରଛାତ୍ରୀ ଓ ଯୁବମାନେ ଅନ୍ଲାଇନ୍ ଶିକ୍ଷା, ପରୀକ୍ଷା ଫର୍ମ ଭର୍ତ୍ତି ଓ ଚାକିରି ଆବେଦନ ପାଇଁ ଇଣ୍ଟରନେଟ ଉପରେ ନିର୍ଭର କରୁଥିବା ବେଳେ ଦୁର୍ବଳ ନେଟ୍ୱର୍କ ତାଙ୍କର ଭବିଷ୍ୟତ ପାଇଁ ବଡ଼ ବାଧା ସୃଷ୍ଟି କରୁଛି। କେତେକ ସ୍ଥାନରେ ନେଟ୍ୱର୍କ ଧରିବା ପାଇଁ ଲୋକଙ୍କୁ ଖୋଲା ଜାଗା କିମ୍ବା ଉଚ୍ଚ ସ୍ଥାନକୁ ଯିବାକୁ ପଡ଼ୁଛି। ଗ୍ରାମବାସୀଙ୍କ ମତାନୁସାରେ, ଏହି ନେଟ୍ୱର୍କ ସମସ୍ୟା ଦିନକୁ ଦିନ ଗଭୀର ହେଉଥିବାରୁ ଦୈନିକ ଜୀବନ, ଶିକ୍ଷା ଓ ରୋଜଗାର ଉପରେ ଖରାପ ପ୍ରଭାବ ପଡ଼ୁଛି। ସେମାନେ ସଂପୃକ୍ତ ବିଭାଗ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଏହି ଅଞ୍ଚଳରେ ଗୁଣବତ୍ତାପୂର୍ଣ୍ଣ ଓ ସ୍ଥିର ନେଟ୍ୱର୍କ ସେବା ଯୋଗାଇବା ପାଇଁ ଶୀଘ୍ର ଦୃଢ଼ ପଦକ୍ଷେପ ନେବାକୁ ଦାବି କରୁଛନ୍ତି। ଯଦି ସମସ୍ୟାର ସମାଧାନ ଶୀଘ୍ର କରାଯାଏ ନାହିଁ, ତେବେ ଆଗାମୀ ଦିନରେ ଏହା ତାଳାକୋଟ ଗ୍ରାମର ଉନ୍ନତି ପଥରେ ବଡ଼ ବାଧା ହେବ ବୋଲି ଗ୍ରାମବାସୀମାନେ ଆଶଙ୍କା ପ୍ରକାଶ କରିଛନ୍ତି।