ସିନାପାଲି ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର, ଆରମ୍ଭ ହେବ ‘ବିଧବା ସହାୟତା ଯୋଜନା’
ନୂଆପଡା, ୩୦/୧୨ ( ସୁରେଶ ମହାନନ୍ଦ ) : ଗତକାଲି ନୂଆପଡା ଜିଲ୍ଲାର ସିନାପାଲି ବ୍ଲକରେ ଜିଲ୍ଲାପାଳ ଶ୍ରୀ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲମ୍ବୋଦର ଧରୁଆ, ବନଖଣ୍ଡ ଅଧିକାରୀ କେନ୍ଦୁପତ୍ରା ଏ. ମାଧବୀଲତା, ଉପଜିଲ୍ଲାପାଳ ସୁର୍ମି ସୋରେନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଧନେଶ୍ଵର ସେଠୀ, ଉପଖଣ୍ଡ ପୋଲିସ ଅଧିକାରୀ ଖରିଆର ଶ୍ରୀ ଉପେନ୍ଦ୍ର ପ୍ରଧାନ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ମୀନା ଘିବେଲା ସହ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଶିବିରରେ ଧାନ ଅଧିଗ୍ରହଣ, ବାର୍ଦ୍ଧକ୍ୟ ଭତ୍ତା, ଖାଦ୍ୟ ସାମଗ୍ରୀ ବଣ୍ଟନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହିତ ବିଭିନ୍ନ ସମସ୍ୟା ଉପରେ ମୋଟ ୭୮ଟି ଅଭିଯୋଗର ଶୁଣାଣି କରାଯାଇଥିଲା। ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ ପାଇଁ ସଂପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ଜିଲ୍ଲାପାଳ ରେଡ୍ କ୍ରସ ପାଣ୍ଠିରୁ ଅସହାୟ ଲୋକମାନଙ୍କୁ ସହାୟତା ପ୍ରଦାନ କରିଥିଲେ। ଭାରତୀୟ ମଜଦୂର ସଂଘ, ନୂଆପଡା ଶାଖାର ସଭାପତି ଶ୍ରୀ ପ୍ରଦୀପ କୁମାର ଦଣ୍ଡସେନା ସହ ଶ୍ରମିକ ସଂଗଠନର ସଦସ୍ୟମାନେ ନିଜ ଦାବି ସମ୍ପର୍କରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଜିଲ୍ଲାପାଳ ସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ଆଶ୍ୱାସନ ଦେଇଥିଲେ। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଦାଶ ଜିଲ୍ଲାର ବିଧବା ମହିଳାମାନଙ୍କ ସହାୟତା ପାଇଁ ଶୀଘ୍ର ‘ବିଧବା ସହାୟତା ଯୋଜନା’ ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ। ଶିବିର ପରିଚାଳନାରେ ବ୍ଲକ ଉନ୍ନୟନ ଅଧିକାରୀ ସିନାପାଲି ଶ୍ରୀ କାର୍ମି ଓରାମ, ଅତିରିକ୍ତ ତହସିଲଦାର ମନୋରଞ୍ଜନ କେରକେଟା, ଡେପୁଟି କଲେକ୍ଟର ଶେଖ୍ ନସିମ, ଚିନ୍ମୟ ସାଗର ପ୍ରମୁଖ ସହଯୋଗ କରିଥିଲେ। ସଭାରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର କର୍ମଚାରୀ, ବ୍ଲକ ସ୍ତରୀୟ କର୍ମୀ ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।