ଅଞ୍ଚଳର ଗର୍ବ ଓ ପ୍ରେରଣା ସାଜିଲେ ଝିଅ ଚିନ୍ତାମଣି
ନବରଙ୍ଗପୁର, ୩୦ / ୬ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡୀ ବ୍ଲକର ଗମ୍ଭାରୀଗୁଡ଼ା ଗାଁର ଚିନ୍ତାମଣି ଗୌଡ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ୯୩ ପ୍ରତିଶତ ନମ୍ବର ରଖି ସଫଳତା ଅର୍ଜନ କରି ନିଜ ଗାଁ, ବ୍ଲକ ଓ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଗାଁର ଗରିବ ପରିବାରର ଏହି ଝିଅଙ୍କ ମେଧା ଓ ପରିଶ୍ରମ ଆଜି ଦେଶର ଲକ୍ଷ-ଲକ୍ଷ ଝିଅମାନଙ୍କ ପାଇଁ ଏକ ପ୍ରେରଣା ସୂତ୍ର ହୋଇଉଛି। ଚିନ୍ତାମଣି ଗୌଡଙ୍କ ପିତା ପରମାନନ୍ଦ ଗୌଡ ଓ ମାଆ ଉମାକାନ୍ତି ଗୌଡ। ସେ ଶିଶୁଆବସ୍ଥାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ନିଜ ଗାଁର ସରକାରୀ ବିଦ୍ୟାଳୟରେ ଅଧ୍ୟୟନ କରି ଦଶମ ପରୀକ୍ଷାରେ ବ୍ଲକର ଶୀର୍ଷ ଛାତ୍ରୀ ହେବାକୁ ସମର୍ଥ ହୋଇଥିଲେ। ପରେ ସେ କଳାହାଣ୍ଡୀ ଜିଲ୍ଲା ଭବାନୀପାଟଣାର ପ୍ରଗତି କଲେଜରେ ବିଜ୍ଞାନ ବିଭାଗରେ ଭର୍ତ୍ତି ହୋଇ ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ। ସେଠାରେ ମଧ୍ୟ ଅପୂର୍ବ ନମ୍ବର ଅର୍ଜନ କରି ଏବେ ନିଜ ପିତାମାତା, ଶିକ୍ଷକ ଓ ଗାଁ ଲୋକଙ୍କ ଗର୍ବ ହୋଇଛନ୍ତି। ତାଙ୍କ ସଫଳତା ଶୁଣି ଝରିଗାଁ ବିଧାୟକ ନରସିଙ୍ଗ ଭତ୍ରା ତାଙ୍କୁ ନିଜ ବାସ ଭବନକୁ ଆମନ୍ତ୍ରଣ କରି, ପୁଷ୍ପଗୁଚ୍ଛ ଓ ଶୁଭେଛା ଦେଇ ସମ୍ମାନିତ କରିଛନ୍ତି। ସେ କହିଛନ୍ତି, "ଚିନ୍ତାମଣି ପରି ଛାତ୍ରୀମାନେ ଗାଁର ମାଟିକୁ ମହକ ଦେଇଥାନ୍ତି। ତାଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେଉ,।" ଏହି ସମ୍ମାନ ଅବସରରେ ଉପସ୍ଥିତ ଥିଲେ —ନବରଙ୍ଗପୁର ଯାଦବ ସମାଜ ଯୁବ ସଭାପତି ନବକିଶୋର ଗୌଡ, ପଞ୍ଚାଳତ ସଭାପତି ସଚିନ୍ଦ୍ର ଗୋପାଳ, କୋଇଲିମୁଣ୍ଡା ସମିତି ସଭ୍ୟ ସୁନା ପୋଡ, ଓ ଶିକ୍ଷକ ଗୁପେଶ୍ୱର ସାହୁ। ସମସ୍ତେ ତାଙ୍କୁ ଶୁଭେଛା ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଅଭିନନ୍ଦନ ଜଣାଇଥିଲେ। ଚିନ୍ତାମଣିଙ୍କ ଏହି ଉପଲବ୍ଧି ପ୍ରମାଣ କରେ ଯେ, ଦୂର୍ଗମ ଅଞ୍ଚଳରୁ ମଧ୍ୟ ଏକ ଦୃଢ଼ ଇଚ୍ଛାଶକ୍ତି ଓ ଶ୍ରମ ଦ୍ୱାରା ବୃହତ ସଫଳତା ଅର୍ଜନ କରିପାରିବା ସମ୍ଭବ। ସେ ଏବେ ଗମ୍ଭାରୀଗୁଡ଼ାର ଝିଅ ନୁହେଁ, ସାରା ଅଞ୍ଚଳର ଗର୍ବ।