"ଯୁବତୀଙ୍କ ଅକାଳମୃତ୍ୟୁ, ସାପ କାମୁଡ଼ାର ଆଶଙ୍କା, ପୋଲିସ ତଦନ୍ତ ଆରମ୍ଭ"
ଝରିଗାଁ, ୩୦ / ୬ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅଧୀନରେ ଥିବା ବକଡ଼ା ବେଡା ପଞ୍ଚାୟତର ଟେଡକାଗୁଡ଼ା ଗାଁରେ ଏକ ଅଭାବନୀୟ ଓ ଦୁଃଖଦ ଘଟଣା ଘଟିଛି। ଏଠାରେ ଯମୁନା ପନକା (ବୟସ ୨୦) ନାମକ ଯୁବତୀ ସାପ କାମୁଡ଼ାରେ ଜୀବନ ହରାଇଛନ୍ତି ବୋଲି ଆଶଙ୍କା କରାଯାଉଛି। ସୂଚନା ଅନୁଯାୟୀ, ସଂଧ୍ୟା ସମୟରେ ଯମୁନାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହଠାତ ଗୁରୁତର ହୋଇଯାଇଥିଲା। ପରିବାର ଲୋକେ ତାଙ୍କୁ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ରାତି ୭ଟା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୁହଁରୁ ଫେଣ ବାହାରୁଥିବା ଦେଖି ଡାକ୍ତରଙ୍କର ସନ୍ଦେହ ଜନ୍ମ ନେଇଥିଲା। ଏହି ପରିସ୍ଥିତି ଦେଖି ଡାକ୍ତର ଦ୍ୱାରା ଉମରକୋଟ ଥାନାକୁ ଏକ ଲିଖିତ ଅଭିଯୋଗ ଦାଖଲ କରାଯାଇଥିଲା। ପରେ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଶବ ଜବତ କରି ବୈଧ ଭାବେ ବ୍ୟବଛେଦ କରାଇଥିଲେ। ବ୍ୟବଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଡାକ୍ତରଙ୍କ ପ୍ରାଥମିକ ଅନୁମାନ ଅନୁଯାୟୀ, ଯମୁନାଙ୍କୁ ବିଷାକ୍ତ ସାପ କାମୁଡିଥିବା ସମ୍ଭାବନା ଅଛି। ଏପର୍ଯ୍ୟନ୍ତ ପରିବାର ପକ୍ଷରୁ କୌଣସି ଅଭିଯୋଗ କିମ୍ବା ପ୍ରତିକ୍ରିୟା ମିଳିନାହିଁ। ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣା ଦିଗରେ ଗଭୀର ତଦନ୍ତ ଚାଲିଛି ବୋଲି ଖବର ସୂତ୍ର ଜଣାଇଛି। ଘଟଣା ସତ୍ୟକୁ ପ୍ରକାଶ କରିବା ପାଇଁ ବ୍ୟବଛେଦ ରିପୋର୍ଟ ଅପେକ୍ଷା କରାଯାଉଛି।