କୋରାପୁଟରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ, ୨୨୨ ସହାୟକ ଉପକରଣ ବଣ୍ଟନ
କୋରାପୁଟ, ୦୧/୧୦ ( ଗୁପ୍ତ ପ୍ରସାଦ ପତ୍ରିକା ) : ଅଦ୍ୟ ତା ୦୧- ୧୦-୨୦୨୬ ରିଖ, ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅବସରରେ କୋରାପୁଟ ଜିଲ୍ଲାରେ ବିଭିନ୍ନ ସ୍ତରରେ ବରିଷ୍ଠ ନାଗରିକଙ୍କ ପାଇଁ ସଚେତନତା, ସ୍ୱାସ୍ଥ୍ୟ ଓ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। SSEPD ବିଭାଗ ଅଧୀନରେ ଜିଲ୍ଲା, ଉପଖଣ୍ଡ ଏବଂ ବ୍ଲକ୍ ସ୍ତରରେ ଏହି ଦିବସ ପାଳନ କରାଯାଇଥିଲା। କୋରାପୁଟ ଟାଉନ୍ ହଲ୍ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ମୁଖ୍ୟ କାର୍ଯ୍ୟକ୍ରମଟି DSSO, Koraput ଶ୍ରୀ ତରୁଣ ତପନ ପ୍ରହରାଜଙ୍କ ତତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ନାଗରିକଙ୍କ ପ୍ରତି ସମ୍ମାନ, ସେମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା, ସାମାଜିକ ସୁରକ୍ଷା ଓ ସମ୍ମାନଜନକ ଜୀବନ ସୁନିଶ୍ଚିତ କରିବା ସମ୍ପର୍କରେ ସଚେତନତା ସୃଷ୍ଟି ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ସୁଶ୍ରୀ ନମିତା ମାଝୀ ଯୋଗଦେଇଥିବା ବେଳେ ମ୍ୟୁନିସିପାଲିଟି ଅଧ୍ୟକ୍ଷ ଶ୍ରୀ ଲଲାଟ ରଞ୍ଜନ ସେଠୀ, LDM, Koraput ଶ୍ରୀ ସଞ୍ଜୟ ମାଝୀ, ADPHO, Koraput Dr. ଶ୍ରୀ ଶିବ ସାଇ ସ୍ୱରୂପ ଏବଂ ବ୍ରହ୍ମକୁମାରୀ ରାଜଯୋଗିନୀ ସ୍ୱର୍ଣ୍ଣା ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ସ୍ୱାସ୍ଥ୍ୟ ପରୀକ୍ଷା ଓ ଆବଶ୍ୟକୀୟ ପରାମର୍ଶ ପ୍ରଦାନ କରାଯାଇଥିଲା। ଏଥିସହ କୋରାପୁଟର ସ୍ୱତନ୍ତ୍ର ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କର ଏହି ସୁନ୍ଦର ପରିବେଷଣ ଉପସ୍ଥିତ ବରିଷ୍ଠ ନାଗରିକମାନଙ୍କୁ ଆନନ୍ଦିତ କରିଥିଲା। ସମାଜ ପ୍ରତି ନିଜର ଅବଦାନ ଓ ଉଲ୍ଲେଖନୀୟ ଭୂମିକା ପାଇଁ ୫ ଜଣ ବରିଷ୍ଠ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା। ବରିଷ୍ଠ ନାଗରିକଙ୍କ ଚଳପ୍ରଚଳନ ଓ ଦୈନନ୍ଦିନ ଜୀବନକୁ ସହଜ କରିବା ଉଦ୍ଦେଶ୍ୟରେ ମୋଟ ୨୨୨ଟି ସହାୟକ ଉପକରଣ ବଣ୍ଟନ କରାଯାଇଥିଲା। ଏଥିରେ ୫୦ଟି Wheel Chair, ୬୦ଟି Knee-Brace, ୪୦ଟି Spinal Support, ୨୬ଟି Hearing Aid, ୩୦ଟି Foot Wear Unit ଏବଂ ୫୦ଟି L. S. Brace ଅନ୍ତର୍ଭୁକ୍ତ ଥିଲା। ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୦୦ ଜଣ ବରିଷ୍ଠ ନାଗରିକ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ମାଧ୍ୟମରେ ବରିଷ୍ଠ ନାଗରିକଙ୍କ ପ୍ରତି ସମ୍ମାନ, ସ୍ନେହ ଓ ସହଯୋଗର ଭାବନାକୁ ଆହୁରି ସୁଦୃଢ଼ କରିବା ସହ ସେମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ସରକାରୀ ସହାୟତା ଓ ସେବାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।