ଚାଟିଗୁଡ଼ାରେ କାଜୁ ଗଛ କଟା ନେଇ ଅଭିଯୋଗ, ପ୍ରଶାସନର ତଦନ୍ତକୁ ଅପେକ୍ଷା
ଝରିଗାଁ, ୦୧/୧୦ (ନକୁଳ ଭତରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଡାବୁଗାଁ ବନାଞ୍ଚଳରେ କାଜୁ ଗଛ କଟାଯାଉଥିବା ନେଇ ଅଭିଯୋଗ ଉଠିଛି। ଝରିଗାଁ ବ୍ଲକ ଅଧୀନ ଚାଟିଗୁଡ଼ା ପଞ୍ଚାୟତର ବିଜାପୁର ବିଟ୍ ଅଞ୍ଚଳର ଚାଟିଗୁଡ଼ାଠାରେ ବିନା ଅନୁମତିରେ କାଜୁ ଗଛ କଟାଯାଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହି ପ୍ରସଙ୍ଗରେ ଡାବୁଗାଁ ରେଞ୍ଜର ରାମଚନ୍ଦ୍ର ଭତରାଙ୍କୁ ପଚାରିବାରୁ, ନିଜ ଜମିରେ ଥିବା ଗଛ କାଟିବା ସହ ତାହା ବିକ୍ରି କରିପାରିବେ ବୋଲି ସେ କହିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, କିଛି ଦଲାଲ ଗାଁ ଗାଁ ବୁଲି ଲୋକଙ୍କ ସହଯୋଗରେ କାଜୁ ଗଛ କାଟୁଛନ୍ତି। ସରକାରୀ ଜମି ହେଉ କିମ୍ବା ବ୍ୟକ୍ତିଗତ ଜମିକାଜୁ ଗଛ କାଟିବା କ୍ଷେତ୍ରରେ ଆବଶ୍ୟକ ଅନୁମତି ଓ ଆଇନଗତ ପ୍ରକ୍ରିୟା ପାଳନ ହେଉଛି କି ନାହିଁ, ତାହାର ଯାଞ୍ଚ ଦାବି ହୋଇଛି। ସ୍ଥାନୀୟଙ୍କ କହିବାନୁଯାୟୀ, କିଛି ବର୍ଷ ପୂର୍ବେ ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳରେ କାଜୁ ଗଛ ରୋପଣ କରାଯାଇଥିଲା। ଏହା ଗ୍ରାମବାସୀଙ୍କ ଜୀବିକା ଓ ଆୟରେ ସହାୟକ ହେବା ସହ ପରିବେଶ ସୁରକ୍ଷାରେ ମଧ୍ୟ ଭୂମିକା ନେବା ଉଦ୍ଦେଶ୍ୟରେ କରାଯାଇଥିବା ସେମାନେ କହିଛନ୍ତି। ଗଛ କଟା ଘଟଣାରେ କିଛି ଦଲାଲ ଓ ସରକାରୀ କର୍ମଚାରୀଙ୍କ ମଧ୍ୟରେ ମିଳିଭଗତ ଥିବା ନେଇ ମଧ୍ୟ କେତେକ ଲୋକ ସନ୍ଦେହ ପ୍ରକାଶ କରିଛନ୍ତି। ଏପରିକି ବନ ବିଭାଗର ଅଧିକାରୀଙ୍କ ଜାଣତରେ ଗଛ କଟାଯାଉଥିବା ନେଇ ମଧ୍ୟ ଅଭିଯୋଗ ଆସିଛି। ତେବେ ଏହି ଅଭିଯୋଗଗୁଡ଼ିକର ସ୍ୱତନ୍ତ୍ର ସତ୍ୟତା ଯାଞ୍ଚ ହେବା ବାକି ରହିଛି। ଏକପଟେ ସରକାର ‘ଏକ ପେଡ଼ ମାଁ କେ ନାମ’ ଭଳି ବୃକ୍ଷରୋପଣ ଅଭିଯାନ ମାଧ୍ୟମରେ ପରିବେଶ ସୁରକ୍ଷା ଓ ବୃକ୍ଷରୋପଣକୁ ପ୍ରୋତ୍ସାହନ ଦେଉଥିବା ବେଳେ, ଅନ୍ୟପଟେ ଯଦି ନିୟମ ଉଲ୍ଲଂଘନ କରି ଗଛ କଟାଯାଉଥାଏ, ତେବେ ଏହାର ତଦନ୍ତ ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏବେ ଏହି ଅଭିଯୋଗ ଉପରେ ପ୍ରଶାସନ କି ପଦକ୍ଷେପ ନେଉଛି ଏବଂ ଚାଟିଗୁଡ଼ା ଅଞ୍ଚଳରେ କାଜୁ ଗଛ କଟା ଘଟଣାର ପ୍ରକୃତ ସତ୍ୟତା କ’ଣ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ସ୍ଥାନୀୟ ଲୋକେ ଘଟଣାସ୍ଥଳ ପରିଦର୍ଶନ, ଗଛ କଟା ସମ୍ପର୍କିତ ଅନୁମତି ଯାଞ୍ଚ ଏବଂ ନିୟମ ଉଲ୍ଲଂଘନ ପ୍ରମାଣିତ ହେଲେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆଇନାନୁସାରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।