ମଦ ରନ୍ଧା ବନ୍ଦ ପାଇଁ ଏକାଠି ହେଲେ ପଞ୍ଚାୟତବାସୀ! ମଦମୁକ୍ତ ଗାଁ ଗଠନ ପାଇଁ ସାମୂହିକ ଉଦ୍ୟମ ଉପରେ ଗୁରୁତ୍ୱ
ଝରିଗାଁ, ୦୧/୧୦ (ନକୁଳ ଭତରା) : ଗ୍ରାମାଞ୍ଚଳରେ ମଦ ରନ୍ଧା ଓ ମଦ୍ୟପାନ ଯୋଗୁଁ ସୃଷ୍ଟି ହେଉଥିବା ସାମାଜିକ ସମସ୍ୟାର ନିରାକରଣ ସହ ମଦମୁକ୍ତ ପରିବେଶ ଗଠନ ପାଇଁ ଏକାଠି ହୋଇଛନ୍ତି ପଞ୍ଚାୟତବାସୀ। ଏନେଇ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ କାନକୋଟ ପଞ୍ଚାୟତର ବୁଆଲିବେଡ଼ା, ନିରଣ୍ଡି ଓ କେନ୍ଦୁଗୁଡ଼ା ଗ୍ରାମରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଶତାଧିକ ମହିଳା ଓ ପୁରୁଷ ଯୋଗଦେଇ ଗ୍ରାମରେ ମଦ ରନ୍ଧା ବନ୍ଦ କରିବା ନେଇ ଆଲୋଚନା କରିଥିଲେ। ବୈଠକରେ ମଦ୍ୟପାନ ଯୋଗୁଁ ପରିବାର ଓ ସମାଜ ଉପରେ ପଡ଼ୁଥିବା କୁପ୍ରଭାବ ସମ୍ପର୍କରେ ଉପସ୍ଥିତ ଲୋକେ ନିଜ ନିଜର ମତ ରଖିଥିଲେ। ମଦ୍ୟପାନ ଯୋଗୁଁ ଅନେକ ପରିବାର ଆର୍ଥିକ ଓ ସାମାଜିକ ସମସ୍ୟାରେ ପଡ଼ୁଥିବା ବେଳେ ମଦଜନିତ ମୃତ୍ୟୁ ପରେ ପରିବାରର ମହିଳା ଓ ଛୋଟ ଛୋଟ ପିଲା ଅସହାୟ ହୋଇପଡ଼ୁଥିବା ନେଇ ଉଦ୍ବେଗ ପ୍ରକାଶ ପାଇଛି। ଏହାର ପ୍ରଭାବ ପରିବାରର ଆର୍ଥିକ ସ୍ଥିତି ସହ ସାମାଜିକ ଜୀବନ ଉପରେ ମଧ୍ୟ ପଡ଼ୁଥିବା ନେଇ ଆଲୋଚନା ହୋଇଥିଲା। ଗ୍ରାମରେ ମଦ ରନ୍ଧା ବନ୍ଦ କରିବା ସହ ମଦ୍ୟପାନର କୁପ୍ରଭାବ ରୋକିବା ପାଇଁ ସମସ୍ତେ ମିଳିତ ଭାବେ ଉଦ୍ୟମ କରିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା। ଏଥିସହ ମଦ୍ୟପାନର କୁପ୍ରଭାବ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଏବଂ ଗ୍ରାମରେ ଏକ ସୁସ୍ଥ ଓ ଶୃଙ୍ଖଳିତ ସାମାଜିକ ପରିବେଶ ସୃଷ୍ଟି କରିବା ଦିଗରେ ସାମୂହିକ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ବୈଠକରେ କାନକୋଟ ସରପଞ୍ଚ କୁମୁଦିନୀ ପୂଜାରୀ, ନାୟକ ସରପଞ୍ଚ ଧର୍ମୁ ଭତ୍ରା, କମଲ ରନ୍ ଭତ୍ରା, ଲଳିତ ଭତ୍ରା, ଧୂର୍ଜନ ମାଝୀ, ନାରାୟଣ ମାଝୀ, ଲଖିନାଥ ମାଝୀ, ବାଳକୃଷ୍ଣ ଭତ୍ରା, ନବୀନ ମାଝୀ, ପୁଲମତି ଗୋଣ୍ଡ, କମଲ ଭତ୍ରା, ମିଟୁ ଭତ୍ରା ଓ ଅର୍ଜୁନ ଭତ୍ରାଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ। ଗ୍ରାମରେ ମଦ ରନ୍ଧା ବନ୍ଦ କରିବା ନେଇ ସମସ୍ତଙ୍କ ସହଯୋଗରେ ଆଗକୁ ବଢ଼ିବାକୁ ଆଲୋଚନା ହୋଇଥିଲା।