Hot Posts

6/recent/ticker-posts

ବରିଷ୍ଠ ନାଗରିକଙ୍କ ସମ୍ମାନ ଓ ସୁସ୍ଥ ଜୀବନଯାପନ ଉପରେ ଗୁରୁତ୍ୱ

ସୁବର୍ଣ୍ଣପୁର,  ୦୧/୧୦ ( ଜଗଦିଶ ମେହେର ) : ସୁବର୍ଣ୍ଣପୁର ଜିଲ୍ଲାର ସଂସ୍କୃତି ଭବନଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସକାଳ ୭ଟାରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଯୋଗ ଅଧିବେଶନ ଆୟୋଜିତ ହୋଇଥିଲା। ପରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସଂସ୍କୃତି ଭବନର ସଭାଗୃହରେ ଅନୁଷ୍ଠିତ ସାଧାରଣ ସଭାରେ ଜିଲ୍ଲା ମାଜିଷ୍ଟ୍ରେଟ୍‌ ତଥା ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ ଅଧ୍ୟକ୍ଷତା କରିଥିଲେ। ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ, ସୋନପୁର ଉପଜିଲ୍ଲାପାଳ ଡ଼. ସୌମ୍ୟା ରୂପା ରଥ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ ଓ ଅନ୍ୟାନ୍ୟ ଅତିଥିମାନେ ଉପସ୍ଥିତ ଥିଲେ। ଶ୍ରୀ ଷଡ଼ଙ୍ଗୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼. ଉଷାରାଣୀ ଦାସ ବରିଷ୍ଠ ନାଗରିକମାନେ କିପରି ନିଜ ସ୍ୱାସ୍ଥ୍ୟର ଯତ୍ନ ନେବେ, ଦୈନନ୍ଦିନ ଜୀବନରେ ସନ୍ତୁଳନ ବଜାୟ ରଖିବେ ଏବଂ ସେମାନଙ୍କ ପାଇଁ ଉପଲବ୍ଧ ବିଭିନ୍ନ ସୁବିଧା ଓ ସେବା ସମ୍ପର୍କରେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକମାନଙ୍କ ପାଇଁ ବିଭିନ୍ନ ଖେଳକୁଦ ଓ ମନୋରଞ୍ଜନମୂଳକ କାର୍ଯ୍ୟକ୍ରମ ସହିତ ଆଲୋଚନା ଓ ଭାବ ବିନିମୟ ଅଧିବେଶନ ଆୟୋଜିତ ହୋଇଥିଲା। ଉପସ୍ଥିତ ବରିଷ୍ଠ ନାଗରିକମାନଙ୍କୁ ଉପହାର ପ୍ରଦାନ କରାଯିବା ସହ ମାଗଣା ଚକ୍ଷୁ ପରୀକ୍ଷା କରାଯାଇଥିଲା। ସଭାରେ ଜିଲ୍ଲା ମାଜିଷ୍ଟ୍ରେଟ୍‌ ତଥା ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ ବରିଷ୍ଠ ନାଗରିକମାନଙ୍କ ପ୍ରତି ସମ୍ମାନ ଓ ଯତ୍ନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ପିଢ଼ି ମଧ୍ୟରେ ଥିବା ଦୂରତାକୁ ଦୂର କରି ବରିଷ୍ଠ ନାଗରିକମାନଙ୍କୁ ପରିବାର ଓ ସମାଜରେ ଉଚିତ ସମ୍ମାନ ଦେବା ଆବଶ୍ୟକ ବୋଲି ସେ କହିଥିଲେ। ଅନ୍ୟ ଅତିଥିମାନେ ମଧ୍ୟ ବୟସ କେବଳ ଏକ ସଂଖ୍ୟା ମାତ୍ର ବୋଲି ଉଲ୍ଲେଖ କରିବା ସହ ବରିଷ୍ଠ ନାଗରିକମାନଙ୍କୁ ଉଚିତ ସମ୍ମାନ ଓ ସୁରକ୍ଷା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। ବୟସ୍କ ମାତାପିତାଙ୍କ ଯତ୍ନ ନେବାରେ ସନ୍ତାନମାନେ ଅବହେଳା କଲେ କେଉଁ ଆଇନଗତ ପଦକ୍ଷେପ ନିଆଯାଇପାରିବ, ସେ ସମ୍ପର୍କରେ ମଧ୍ୟ ସଭାରେ ସଚେତନ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକମାନଙ୍କ ସୁସ୍ଥ, ସମ୍ମାନଜନକ ଓ ସୁରକ୍ଷିତ ଜୀବନଯାପନ ସହ ସେମାନଙ୍କ ଅଧିକାର ପ୍ରତି ସମାଜର ଦାୟିତ୍ୱ ଉପରେ ଗୁରୁତ୍ୱ ଦିଆଯାଇଥିଲା।