Hot Posts

6/recent/ticker-posts

RPwD Act, 2016 ଉପରେ ସଚେତନତା ଓ କୁଇଜ୍‌ କାର୍ଯ୍ୟକ୍ରମ

କୋରାପୁଟ, ୧୩/୦୯ ( ସୁରେନ୍ଦ୍ର ଖୋସଲା ) : ଦିବ୍ୟାଙ୍ଗଜନଙ୍କ ଅଧିକାର, ସମାନ ସୁଯୋଗ ଓ ସମାବେଶୀ ସମାଜ ଗଠନ ସମ୍ପର୍କରେ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ରାଜ୍ୟ ଦିବ୍ୟାଙ୍ଗଜନ ଆୟୁକ୍ତଙ୍କ କାର୍ଯ୍ୟାଳୟ, ଓଡ଼ିଶା ପକ୍ଷରୁ ଆୟୋଜିତ ଦିବ୍ୟାଙ୍ଗଜନଙ୍କ ଅଧିକାର ଆଇନ, ୨୦୧୬ (RPwD Act, 2016) ଉପରେ ଆନ୍ତଃ-ମହାବିଦ୍ୟାଳୟସ୍ତରୀୟ ସଚେତନତା ଓ କୁଇଜ୍‌ କାର୍ଯ୍ୟକ୍ରମ ୧୨ ସେପ୍ଟେମ୍ବର ୨୦୨୬ରେ କୋରାପୁଟସ୍ଥିତ ସରକାରୀ ଡିଏଭି ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ଦିବ୍ୟାଙ୍ଗଜନ ଆୟୁକ୍ତ ତଥା ଅବସରପ୍ରାପ୍ତ IAS ଅଧିକାରୀ ଶ୍ରୀମତୀ ବ୍ରତତୀ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମଗ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ସେ RPwD Act, 2016ର ଉଦ୍ଦେଶ୍ୟ, ଦିବ୍ୟାଙ୍ଗଜନଙ୍କ ଅଧିକାର, ସମାନ ସୁଯୋଗ ଓ ସମାଜର ମୁଖ୍ୟସ୍ରୋତରେ ସେମାନଙ୍କ ସମାନ ଅଂଶଗ୍ରହଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ୮ଟି ଶିକ୍ଷାନୁଷ୍ଠାନରୁ ମୋଟ ୧୬୧ ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଏଥିମଧ୍ୟରୁ ୧୬ ଜଣ ଛାତ୍ରଛାତ୍ରୀ କୁଇଜ୍‌ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ RPwD Act, 2016ର ବିଭିନ୍ନ ବ୍ୟବସ୍ଥା, ଦିବ୍ୟାଙ୍ଗଜନଙ୍କ ଅଧିକାର ଓ ସେମାନଙ୍କ ପାଇଁ ଉପଲବ୍ଧ ସରକାରୀ ସୁବିଧା ସମ୍ପର୍କରେ ସଚେତନ କରାଯାଇଥିଲା। ଏହି ଆନ୍ତଃ-ମହାବିଦ୍ୟାଳୟସ୍ତରୀୟ କାର୍ଯ୍ୟକ୍ରମଟି ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ, କୋରାପୁଟ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ତରୁଣ ତପନ ପ୍ରହରାଜଙ୍କ ସକ୍ରିୟ ତଦାରଖରେ ଅନୁଷ୍ଠିତ ହୋଇଥିଲା। ଶ୍ରୀମତୀ ଆହାନା ବୈଦ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ (ମୁଖ୍ୟାଳୟ), ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁଚାରୁ ପରିଚାଳନାରେ ଆବଶ୍ୟକ ସମନ୍ୱୟ ଓ ସହଯୋଗ ପ୍ରଦାନ କରିଥିଲେ। ସରକାରୀ ଡିଏଭି ମହାବିଦ୍ୟାଳୟ, କୋରାପୁଟର ଅଧ୍ୟକ୍ଷ ଡ. ସୁଶୀଲ କୁମାର ଗଡ଼ନାୟକଙ୍କ ମାର୍ଗଦର୍ଶନରେ କାର୍ଯ୍ୟକ୍ରମ ସମନ୍ୱୟକ ଡ. ଶ୍ରୀଚନ୍ଦନ ମିଶ୍ରଙ୍କ ସମନ୍ୱୟରେ କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା। ଶ୍ରୀମତୀ ଡଲି ଚୌଧୁରୀ ଉପସ୍ଥାପିକା ଭାବେ ଦାୟିତ୍ୱ ତୁଲାଇଥିବାବେଳେ ଡ. ଦୁର୍ଗା ପ୍ରସାଦ ପାଣିଗ୍ରାହୀ ଓ ଡ. ନିକୁଞ୍ଜ ବିହାରୀ ବାରିକଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ ଓ ସଦସ୍ୟମାନେ କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ସହଯୋଗ କରିଥିଲେ। ସମସ୍ତଙ୍କ ସକ୍ରିୟ ସହଯୋଗ ଓ ସମନ୍ୱୟରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା। ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ RPwD Act, 2016 ଓ ଦିବ୍ୟାଙ୍ଗଜନଙ୍କ ଅଧିକାର ପ୍ରତି ଜ୍ଞାନ ଓ ସଚେତନତା ବୃଦ୍ଧି କରିବା ସହ ସମାନତା, ସମ୍ମାନ ଓ ସମାବେଶୀ ସମାଜ ଗଠନର ବାର୍ତ୍ତା ପ୍ରଦାନ କରିଥିଲା।