ବରୀ ବ୍ଲକରେ ବନ୍ୟା ବିପନ୍ନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନରେ ଘୋଟାଲା, ଏବେ ଆଧାରକାର୍ଡ ଓ ଦସ୍ତଖତ ଯୋଗାଡ଼ ପାଇଁ ଉଦ୍ୟମ
ବରୀ, ୩୦/୦୯ ( ରଂଜିତ ମହାନ୍ତି ) : ଚଳିତ ବର୍ଷ ବରୀ ବ୍ଲକରେ ଦୁଇଟି ପର୍ଯ୍ୟାୟ ବନ୍ୟା ହୋଇଥିଲା। ସରକାରଙ୍କ ପକ୍ଷରୁ ବିଭିନ୍ନ ପଞ୍ଚାୟତରେ ବନ୍ୟା ବିପନ୍ନଙ୍କ ପାଇଁ ଯୋଗାଇ ଦିଆଯାଇଥିବା ମାଗଣା ରନ୍ଧା ଖାଦ୍ୟର ଖର୍ଚ୍ଚ ନେଇ ଯେଉଁ ତାଲିକା ପ୍ରସ୍ତୁତ ହୋଇଛି ତାକୁ ଶୁଣିଲେ ଲୋକଙ୍କ ମୁଣ୍ଡ ବୁଲାଇ ଦେଉଛି । ଏହାକୁ ନେଇ ଗଣ ମାଧ୍ୟମରେ ଖବର ପ୍ରକାଶ ପରେ ବ୍ଲକ ସ୍ତରରେ ଏହାର ଯାଞ୍ଚ ହେଉଛି । ଅନ୍ୟ ପକ୍ଷରେ ତାଲିକାକୁ ଠିକ ପ୍ରମାଣିତ କରିବାକୁ ଏବେ ସରପଞ୍ଚ, ଏପିଇଓ ଓ ପିଇଓ ଘର ଘର ବୁଲି ଆଧାର କାର୍ଡ ଓ ଦସ୍ତଖତ ଯୋଗାଡ଼ରେ ବ୍ୟସ୍ତ । ହେଲେ ବନ୍ୟାରେ ଖାଇନଥିବା ଲୋକ ନିଜର ଆଧାର କାର୍ଡ ଓ ଦସ୍ତଖତ ଦେବାକୁ ସଫା ସଫା ମନ କରିଦେଉଥିବା ଚର୍ଚ୍ଚାର ବିଷୟ ହୋଇଛି । ବରୀ ବ୍ଲକର ୨୯ ଟି ପଞ୍ଚାୟତ ମଧ୍ୟରୁ ୧୫ଟି ପଞ୍ଚାୟତ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଥିଲା । ପ୍ରାୟ ୮ ରୁ ୯ଟି ପଞ୍ଚାୟତ ଆଂଶିକ ଭାବେ ପ୍ରଭାବିତ ହୋଇଥିଲା। ବିପନ୍ନଙ୍କୁ ସହାୟତା ଆଳରେ ବ୍ଲକ ପ୍ରଶାସନ ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟକୁ ପଠାଯାଇଥିବା ପ୍ରାୟ ୨.୩୭ କୋଟି ଟଙ୍କାର ବିଶାଳ ବିଲକୁ ନେଇ ସାଧାରଣରେ ବିସ୍ମୟ ସୃଷ୍ଟି ହୋଇଛି। ମିଳିଥିବା ତଥ୍ୟ ଅନୁଯାୟୀ, ରନ୍ଧା ଖାଦ୍ୟ ଖର୍ଚ୍ଚ ତାଲିକାରେ ଚନ୍ଦନପୁର ପଞ୍ଚାୟତ ଶୀର୍ଷ ରହିଛି। ଏଠାରେ ସର୍ବାଧିକ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ହିସାବ ପ୍ରସ୍ତୁତ ହୋଇଛି। ଏହି ଖର୍ଚ୍ଚ ତାଲିକାରେ ପ୍ରଥମ ବନ୍ୟା ବାବଦକୁ ୧୩ ଲକ୍ଷ ୩୪ ହଜାର, ଦ୍ୱିତୀୟ ବନ୍ୟା ପାଇଁ ୧୭ଲକ୍ଷ ୨୯ ହଜାର ୬ଶହ ଟଙ୍କା ସମେତ ଶ୍ରମିକ ମଜୁରୀ ୨, ୩୫୦ ଟଙ୍କା ଓ ପରିବହନ ଖର୍ଚ୍ଚ ୬ ହଜାର ଟଙ୍କା ଅନ୍ତର୍ଭୁକ୍ତ। ଏହାକୁ ନେଇ ପଞ୍ଚାୟତର ଲୋକେ କହୁଛନ୍ତି ଘାଇ ହୋଇଥିବାରୁ ଘାଇ ନାମରେ ଅର୍ଥ ଲୁଟ ଉଦ୍ୟମ ହୋଇଛି । ଆମେ ଯଦି ଖାଇନାହୁଁ ତେବେ ଆଧାର କାର୍ଡ ଓ ଦସ୍ତଖତ କାହିଁକି ଦେବୁ । ଦ୍ୱିତୀୟ ସ୍ଥାନରେ ଥିବା ରତଳାଙ୍ଗ ପଞ୍ଚାୟତ ପାଇଁ ମୋଟ ୨୭ ଲକ୍ଷ ୯୮ ହଜାର ୪୫୦ ଟଙ୍କାର ବିଲ୍ ଦିଆଯାଇଛି।ଯେଉଁଥିରେ ପ୍ରଥମ ବନ୍ୟାରେ ୧୦ ଲକ୍ଷ ୭୨ ହଜାର, ଦ୍ୱିତୀୟ ବନ୍ୟାରେ ୧୬ ଲକ୍ଷ ୪୨ ହଜାର ୨୮୦ ଟଙ୍କା, ପରିବହନ ବାବଦକୁ ୮, ୭୦୦, ମଜୁରୀ ୩, ୩୦୦ ଟଙ୍କା ରହିଛି । ତୃତୀୟ ସ୍ଥାନରେ ଥିବା ଅରଙ୍ଗାବାଦ ପଞ୍ଚାୟତ ପାଇଁ ୧୯ ଲକ୍ଷ ୩୧ ହଜାର ଟଙ୍କା ପ୍ରଥମ ବନ୍ୟାରେ ୯ ଲକ୍ଷ ୩୭ ହଜାର, ଦ୍ୱିତୀୟ ବନ୍ୟାରେ ୯ ଲକ୍ଷ ୭୩ ହଜାର, ମଜୁରୀ ୩, ୫୦୦, ପରିବହନ ୧୨, ୬୦୦ ଓ ଇନ୍ଧନ ୪ ହଜାର ଟଙ୍କା ଦର୍ଶାଯାଇଛି। ସେହିପରି ବରୀ ପଞ୍ଚାୟତରେ ୧୮ ଲକ୍ଷ ୭୩ ହଜାର, କଳମାଟିଆରେ ୧୮ ଲକ୍ଷ ୪୮ ହଜାର, କିମ୍ଭିରିଆପାଳରେ ୧୫ ଲକ୍ଷ ୫୮ ହଜାର ଟଙ୍କାର ତାଲିକା ହୋଇଛି । ଦ୍ୱତୀୟ ବନ୍ୟାରେ ବାଇଁଶିରିଆ ପଞ୍ଚାୟତରେ ୧୫ ଲକ୍ଷ ୨୮ ହଜାର ଟଙ୍କାର ହିସାବ କରାଯାଇଛି। ଅନ୍ୟ କେତେକ ପଞ୍ଚାୟତ ପାଇଁ ପ୍ରାୟ ୧୦ରୁ ୧୧ ଲକ୍ଷ ଟଙ୍କାର ବିଲ୍ ପ୍ରସ୍ତୁତ ହୋଇଛି। ପରିବହନ ବାବଦରେ କିମ୍ବିରିଆପାଳରେ ସର୍ବାଧିକ ୪୨ ହଜାର ଏବଂ ବୋଦୁଅ ପଞ୍ଚାୟତରେ ୨୮ ହଜାର ଟଙ୍କାର ବିଲ୍ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ବାଲିଆ, ଧାରପୁର, ଈଶାଶପୁର ଓ ରତ୍ନଗିରି ଭଳି ୪ଟି ପଞ୍ଚାୟତରେ ଉଭୟ ପର୍ଯ୍ୟାୟରେ ରନ୍ଧା ଖାଦ୍ୟ ପ୍ରସ୍ତୁତ ହୋଇ ନ ଥିବା ବେଳେ ରମ୍ପା, ଅଟିରା, ବାଲିବିଲ, ଭଅଁରା, ବୋଦୁଅ, ଅମଠପୁର, ଅଙ୍ଗାଳୋ, ଅନ୍ୟାସୀପୁର, ବାଇଁଶିରିଆ, ଗମୁ, ଗୋଳକୁଣ୍ଡ, ମଧୁସୂଦନପୁର, ମନ୍ଦାରୀ, ମହାକାଳପଡ଼ା, ସାହୁପଡ଼ା, ସେରପୁର ଏବଂ ଉଦୟନାଥପୁର ଆଦି ପଞ୍ଚାୟତରେ କେବଳ ଦ୍ୱିତୀୟ ବନ୍ୟା ସମୟରେ ରନ୍ଧା ଖାଦ୍ୟ ଦିଆଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ବ୍ଲକ ପକ୍ଷରୁ ଏଭଳି ବିପୁଳ ଅର୍ଥର ବିଲ କରାଯାଇ ସରକାରୀ ଅର୍ଥ ଲୁଟର ଯୋଜନା ହୋଇଥିବା ନେଇ ଅଭିଯୋଗ ହୋଇଛି । ଏ ନେଇ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ସାଧାରଣରେ ଦାବି ହୋଇଛି ।