ରାୟଗଡ଼ାରେ ଧୁମଧାମରେ ପାଳିତ ହେଲା ଜସନ୍ ଈଦ୍ ମିଲାଦ-ଉନ୍-ନବୀ
ରାୟଗଡ଼ା, ୨୭/୦୯ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ା ସହରର ବୁଦ୍ରାଭଲସା ରୋଡ୍ରେ ଧୁମଧାମରେ ପାଳିତ ହୋଇଛି ଜସନ୍ ଈଦ୍ ମିଲାଦ-ଉନ୍-ନବୀ। ରଜା କମିଟି, ବୁଦ୍ରାଭଲସା ପକ୍ଷରୁ ଏହି ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପୟଗମ୍ବର ହଜରତ ମହମ୍ମଦଙ୍କ ଜନ୍ମ ଜୟନ୍ତୀ ଅବସରରେ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ଏହି ପର୍ବ ପାଳନ କରାଯାଇଥାଏ। ଏହି ଅବସରରେ ବୁଦ୍ରାଭଲସା ରୋଡ୍ରେ ଶତାଧିକ ମୁସଲିମ ଭାଇ ଏକାଠି ହୋଇଥିଲେ। ପୟଗମ୍ବର ହଜରତ ମହମ୍ମଦଙ୍କ ଜୀବନୀ, ତାଙ୍କ ଆଦର୍ଶ ଓ ମାନବିକତାର ବାର୍ତ୍ତା ଉପରେ ଆଲୋଚନା କରାଯାଇଥିଲା। ଏଥିସହ ଦେଶରେ ଶାନ୍ତି, ସମୃଦ୍ଧି ଓ ଭାଇଚାରା ବଜାୟ ରହିବା ପାଇଁ ସାମୂହିକ ଦୁଆ କରାଯାଇଥିଲା। କାର୍ଯ୍ୟକ୍ରମରେ ରଜା କମିଟିର ସଭାପତି ସୟଦ୍ ଅବଦୁଲ୍ ଅଜିଜ୍, ସମ୍ପାଦକ ମହମ୍ମଦ ରିୟାଜୁଦ୍ଦିନ୍, ଉପ-ସଭାପତି ଅବଦୁଲ୍ ଆଫରୋଜ୍ ଖାନ୍ଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଓ ସ୍ଥାନୀୟ ମୁସଲିମ ସମ୍ପ୍ରଦାୟର ଲୋକେ ଉପସ୍ଥିତ ଥିଲେ। ଶାନ୍ତି ଓ ସଦ୍ଭାବର ବାର୍ତ୍ତା ସହ ଧାର୍ମିକ ପରିବେଶରେ କାର୍ଯ୍ୟକ୍ରମଟି ସମ୍ପନ୍ନ ହୋଇଥିଲା।