ମସାଣି ପଦାକୁ ନାହିଁ ରାସ୍ତା, ହଇରାଣ ହେଉଛନ୍ତି ୩ ଗାଁର ଲୋକେ, କଣ୍ଟାଗଛ ଓ ଲଟାବୁଦା ମଧ୍ୟରେ ମୃତଦେହ ନେବାକୁ ପଡୁଛି
ଝରିଗାଁ, ୩୦/୦୯ (ନକୁଳ ଭତରା) : ମସାଣି ପଦାକୁ ଯିବା ପାଇଁ ନାହିଁ ରାସ୍ତା। କଣ୍ଟାଗଛ ଓ ଲଟାବୁଦା ଭର୍ତ୍ତି ରାସ୍ତା ଦେଇ ମୃତଦେହ ନେବାକୁ ପଡୁଛି। ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଧୋଡ୍ରା ପଞ୍ଚାୟତ ଅଧୀନ ଧୋଡ୍ରା, ବଡ଼ଭୀମାଗୁଡ଼ା ଓ ସାନଭୀମାଗୁଡ଼ା ଗ୍ରାମବାସୀ। ତିନିଟି ଗାଁର ଲୋକେ ଗୋଟିଏ ମସାଣି ପଦା ଉପରେ ନିର୍ଭର କରୁଥିବା ବେଳେ ସେଠାକୁ ଯିବା ପାଇଁ ଆବଶ୍ୟକ ରାସ୍ତା ନଥିବାରୁ ଶବ ସତ୍କାର ସମୟରେ ଲୋକଙ୍କୁ ନାନା ଅସୁବିଧା ଭୋଗିବାକୁ ପଡୁଛି। ସୂଚନା ଅନୁଯାୟୀ, ଧୋଡ୍ରା ଗାଁର ମସାଣି ପଦାକୁ ଯିବା ରାସ୍ତାରେ ଘାସ, ସିନ୍ଦି ଗଛ, କରାପୁଟିଆ ଗଛ ସମେତ ବିଭିନ୍ନ ପ୍ରକାର କଣ୍ଟାଗଛ ଓ ଲଟାବୁଦା ମାଡ଼ି ରହିଛି। ଫଳରେ ମୃତଦେହକୁ ମସାଣି ପଦାକୁ ନେବା ସମୟରେ ପରିବାର ଲୋକ ଓ ଗ୍ରାମବାସୀଙ୍କୁ ବହୁ କଷ୍ଟ ସହିବାକୁ ପଡୁଛି। ଏପରିକି ଶବ ସତ୍କାର ଭଳି ଜରୁରୀ ସମୟରେ ମଧ୍ୟ କଣ୍ଟାଗଛ ଓ ଲଟାବୁଦା ମଧ୍ୟରେ ଯାତାୟାତ କରିବାକୁ ପଡୁଛି। ପରିତାପର ବିଷୟ, ଏହି ମସାଣି ପଦା ଧୋଡ୍ରା ପଞ୍ଚାୟତ ମୁଖ୍ୟାଳୟଠାରୁ ମାତ୍ର ପ୍ରାୟ ୧୦୦ ମିଟର ଦୂରରେ ଅବସ୍ଥିତ। ତଥାପି ଏଠାକୁ ଯିବା ପାଇଁ ଏଯାଏଁ ରାସ୍ତା ନିର୍ମାଣ ହୋଇପାରିନାହିଁ। ତିନିଟି ଗାଁର ଲୋକଙ୍କ ପାଇଁ ଏହା ଏକମାତ୍ର ଶବ ସତ୍କାର ସ୍ଥାନ ହୋଇଥିବାରୁ ରାସ୍ତା ଅଭାବ ସେମାନଙ୍କ ପାଇଁ ଦୀର୍ଘଦିନର ସମସ୍ୟା ପାଲଟିଛି। ଏହାକୁ ନେଇ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏନେଇ ମସାଣି ପଦାକୁ ଯିବା ପାଇଁ ଏକ ସୁବିଧାଜନକ ରାସ୍ତା ନିର୍ମାଣ କରିବାକୁ ସ୍ଥାନୀୟ ସରପଞ୍ଚ ଓ ଅଞ୍ଚଳର ବିଧାୟକଙ୍କ ନିକଟରେ ଗ୍ରାମବାସୀ ଦାବି ଜଣାଇଛନ୍ତି। ଏଥିସହ ପ୍ରଶାସନ ତୁରନ୍ତ ଏହି ସମସ୍ୟାର ସମାଧାନ କରି ରାସ୍ତା ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।