କଳାହାଣ୍ଡି, ୨୯/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : କଲାହାଣ୍ଡି ଜିଲ୍ଲା ‘ସେବା ସଙ୍କଳ୍ପ ଅଭିଯାନ’ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ‘ଆଙ୍ଗନ କା ଉତ୍ସବ’ କାର୍ଯ୍ୟକ୍ରମ କେସିଙ୍ଗା ବ୍ଳକ୍ ଅଧିନସ୍ଥ ୧୯୫ ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ଶିଶୁ ଓ ମହିଳା ବିକାଶ ପ୍ରକଳ୍ପ ଅଧିକାରିଣୀ ଶ୍ରୀମତି ସୁଷମା ମିଶ୍ର ଙ୍କ ନେତୃତ୍ୱରେ ୨୭.୯.୨୦୨୬ ରୁ ୨୯.୯.୨୦୨୬ ପର୍ଯ୍ୟନ୍ତ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ପ୍ରଥମ ଦିନରେ ବାପା ମାନଙ୍କ ଖାଦ୍ୟ ପ୍ରତିଯୋଗୀତା, ଦ୍ୱିତୀୟ ଦିନରେ ଶିଶୁ ମାନଙ୍କ ଖେଳକୁଦ, ଅଜା ଆଈ ଗପ କହିବା ଓ ତୃତୀୟ ଦିନରେ ବାପା ମାନଙ୍କୁ ପୁରସ୍କାର ବିତରଣ, ଅଙ୍ଗନୱାଡ଼ି କର୍ମୀ, ସହାୟିକା, ଓ ଆଶା କର୍ମୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ସୁନ୍ଦର ଭାବେ ସଜାଯାଇ ଶିଶୁ, ଗର୍ଭବତୀ ମହିଳା, ପ୍ରସୂତି ମା’ ଓ ଅନ୍ୟାନ୍ୟ ହିତାଧିକାରୀଙ୍କୁ ନେଇ ବିଭିନ୍ନ ସଚେତନତାମୂଳକ ଓ ପୁଷ୍ଟି ସମ୍ବନ୍ଧୀୟ କାର୍ଯ୍ୟକ୍ରମ କରାଯାଉଛି। ସ୍ଥାନୀୟ ଭାବେ ଉପଲବ୍ଧ ବିଭିନ୍ନ ପୁଷ୍ଟିକର ଖାଦ୍ୟ ଓ ଫଳମୂଳର ପ୍ରଦର୍ଶନୀ ସହିତ ଶିଶୁମାନଙ୍କ ପାଇଁ ଆନନ୍ଦଦାୟକ ଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ କରାଯାଇଥିଲା। ଅଭିଭାବକମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରର ବିଭିନ୍ନ ସେବା, ଶିଶୁଙ୍କ ପୁଷ୍ଟି, ସ୍ୱାସ୍ଥ୍ୟ, ବୃଦ୍ଧି ଓ ବିକାଶ ସମ୍ପର୍କରେ ସଚେତନତା କରା ଯାଉଥିଲା। ଏଥିସହ ପୋଷଣ, ପୂର୍ବ-ପ୍ରାଥମିକ ଶିକ୍ଷା, ନିୟମିତ ଓଜନ ଓ ଉଚ୍ଚତା ମାପ, ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସରକାରୀ ଯୋଜନାଗୁଡ଼ିକର ସୁଫଳ ସମ୍ପର୍କରେ ମଧ୍ୟ ହିତାଧିକାରୀଙ୍କୁ ଅବଗତ କରାଯାଉଛି। ‘ଆଙ୍ଗନ କା ଉତ୍ସବ’ର ଏକ ଅଭିନବ ଆକର୍ଷଣ ଭାବେ ପୁଷ୍ଟିକର ଖାଦ୍ଯ ପ୍ରସ୍ତୁତି ପ୍ରତିଯୋଗିତାର ଆୟୋଜନ କରାଯାଉଛି। ଏଥିରେ ପୁରୁଷମାନଙ୍କୁ ସକ୍ରିୟ ଭାବେ ସାମିଲ କରାଯାଇ ସେମାନଙ୍କ ଦ୍ୱାରା ବିଭିନ୍ନ ସ୍ଥାନୀୟ ଓ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରି ପ୍ରଦର୍ଶନ କରାଯାଉଛି। ଏହା ମାଧ୍ୟମରେ ପରିବାରର ପୁଷ୍ଟି ଓ ଶିଶୁଙ୍କ ସୁସ୍ଥ ବିକାଶରେ ପୁରୁଷମାନଙ୍କ ଭୂମିକା ଏବଂ ସହଭାଗିତାକୁ ପ୍ରୋତ୍ସାହିତ କରାଯାଇଛି। ପ୍ରକଳ୍ପର ଶିଶୁ ଓ ମହିଳା ବିକାଶ ପ୍ରକଳ୍ପ ଅଧିକାରିଣୀ,ମହିଳା ପରିଦର୍ଶିକା, ଅଙ୍ଗନବାଡ଼ି କର୍ମୀ, ଅଙ୍ଗନବାଡ଼ି ସହାୟିକା ଓ ଅଙ୍ଗନବାଡ଼ି ପରିଚାଳନା କମିଟିର ସଦସ୍ୟମାନେ ଉତ୍ସବକୁ ସଫଳ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ‘ଆଙ୍ଗନ କା ଉତ୍ସବ’ ମାଧ୍ୟମରେ ଅଙ୍ଗନବାଡ଼ି କେନ୍ଦ୍ରକୁ ଶିଶୁ ଓ ଅଭିଭାବକଙ୍କ ପାଇଁ ଅଧିକ ଆକର୍ଷଣୀୟ, ଶିଶୁ-ଅନୁକୂଳ ଓ ପୁଷ୍ଟିମୟ ପରିବେଶରେ ପରିଣତ କରିବା ସହିତ ସମୁଦାୟର ସହଭାଗିତା ବୃଦ୍ଧି କରିବା ଏହାର ମୁଖ୍ୟ ଲକ୍ଷ୍ୟ।
କଲାହାଣ୍ଡି ଜିଲ୍ଲା ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
