ବାଲେଶ୍ୱର, ୦୨/୦୮ ( ପ୍ରଭାକର ମଲ୍ଲିକ ) : ପରିବେଶ ସୁରକ୍ଷା ପାଇଁ ଦୃଢ଼ ସଂକଳ୍ପ ଓ ନିଷ୍ଠା ଥିଲେ ଜଣେ ବ୍ୟକ୍ତି ମଧ୍ୟ ସମାଜରେ ବଡ଼ ପରିବର୍ତ୍ତନର ସୂତ୍ରପାତ କରିପାରନ୍ତି। ଏହାର ଜୀବନ୍ତ ଉଦାହରଣ ସୃଷ୍ଟି କରିଛନ୍ତି ବାଲେଶ୍ୱର ଜିଲ୍ଲାର ବସ୍ତା ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ଗ୍ରାମ ପଞ୍ଚାୟତର ଥେଙ୍ଗଡିହା ଗ୍ରାମର ବାସିନ୍ଦା, କୁଳଡିହା ସରକାରୀ ବିଦ୍ୟାଳୟର ଆଦର୍ଶ ଶିକ୍ଷକ ଏବଂ ଭେଲୋରା କ୍ଲଷ୍ଟରର ସି ଆର ସି ସି ଗଣେଶ ଚନ୍ଦ୍ର ଜେନା।ଜୁଲାଇ ମାସର ୧ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ସେ ପ୍ରତ୍ୟେକ ଦିନ ବୃକ୍ଷରୋପଣ କରିବା ସହିତ ମାଗଣାରେ ଚାରା ବଣ୍ଟନ କରି ଏକ ଅଭିନବ ପରିବେଶ ସଚେତ ନତା ଅଭିଯାନ ଚଳାଇଛନ୍ତି। ବିଭିନ୍ନ ବିଦ୍ୟାଳୟ, ମନ୍ଦିର ପ୍ରାଙ୍ଗଣ, ସର୍ବସାଧାରଣ ସ୍ଥାନରେ, ଦୋକାନ ବଜାର ଏବଂ ଘରେ ଘରେ ପହଞ୍ଚି ସେ ଚାରା ବଣ୍ଟନ କରିବା ସହ ବୃକ୍ଷର ଆବଶ୍ୟକତା ଓ ପରିବେଶ ସୁରକ୍ଷାର ବାର୍ତ୍ତା ପହଞ୍ଚାଉଛନ୍ତି। ଏହି ଉଦ୍ୟମ କେବଳ ଜୁଲାଇ ମାସରେ ସୀମିତ ନୁହେଁ। ବହୁ ବର୍ଷ ଧରି ସେ ନିରନ୍ତର ଭାବେ ବୃକ୍ଷରୋପଣ, ମାଗଣା ଚାରା ବଣ୍ଟନ ଏବଂ ପରିବେଶ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ତାଙ୍କର ଏହି ନିଷ୍ଠା ଓ ଅକ୍ଳାନ୍ତ ପରିଶ୍ରମ ପାଇଁ ସେ ସ୍ଥାନୀୟ ଅଞ୍ଚଳରେ "ଗଛ ମଣିଷ" ଓ ବର୍ଣ୍ଣବୋଧ ଭାବେ ପରିଚିତ ହୋଇ ପାରିଛନ୍ତି।ଶିକ୍ଷକ ଭାବେ ନିଜ କର୍ତ୍ତବ୍ୟ ପାଳନ କରିବା ସହିତ ସେ ସମାଜସେବା କ୍ଷେତ୍ରରେ ମଧ୍ୟ ସକ୍ରିୟ ରହିଛନ୍ତି। "ବର୍ଣ୍ଣବୋଧ ପାଠଶାଳା" ମାଧ୍ୟମରେ ଆର୍ଥିକ ଦୃଷ୍ଟିରୁ ପଛୁଆ ଶିଶୁମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ କରି ସେ ଶିକ୍ଷାର ଆଲୋକ ବିତରଣ କରୁଛନ୍ତି। ସାହିତ୍ୟ ପ୍ରତି ତାଙ୍କର ଅନୁରାଗ ତାଙ୍କୁ ବିଭିନ୍ନ ସାମାଜିକ, ଶିକ୍ଷାମୂଳକ ଓ ପରିବେଶ ସଚେତନତା ଭିତ୍ତିକ କବିତା ରଚନା ପାଇଁ ମଧ୍ୟ ପ୍ରେରିତ କରିଛି। ସ୍ଥାନୀୟ ଅଞ୍ଚଳର ଲୋକମାନେ ତାଙ୍କର ଏହି ସେବାକାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରୁଥିବା ବେଳେ ଅନେକ ଯୁବକ ଓ ଛାତ୍ରଛାତ୍ରୀ ତାଙ୍କ ଠାରୁ ପ୍ରେରଣା ପାଇ ବୃକ୍ଷରୋପଣ ଅଭିଯାନରେ ସାମିଲ ହେଉ ଛନ୍ତି। ସବୁଜ ଓ ସୁସ୍ଥ ପରିବେଶ ଗଢ଼ିବା ଦିଗରେ ତାଙ୍କର ଏହି ଅବିରତ ପ୍ରୟାସ ସମାଜ ପାଇଁ ଏକ ଅନୁକରଣୀୟ ଦୃଷ୍ଟାନ୍ତ ହୋଇଉଠିଛି। "ଗୋଟିଏ ଗଛ କୋଟିଏ ଜୀବନ"—ଏହି ବାର୍ତ୍ତାକୁ ପାଥେୟ କରି ଗଣେଶ ଚନ୍ଦ୍ର ଜେନାଙ୍କ ସବୁଜ ଅଭିଯାନ ଆଜି ପରିବେଶ ସୁରକ୍ଷା କ୍ଷେତ୍ରରେ ଏକ ପ୍ରେରଣା ଦାୟକ ଆନ୍ଦୋଳନର ରୂପ ନେଇଛି। ଏଥି ପାଇଁ ସବୁଆଡୁ ଏବେ ପ୍ରସଂଶା ସୁଅ ଛୁଟୁଛି।
ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l

