"ସ୍ୱାଧୀନତା ପରେ ପ୍ରଥମଥର ପର୍ଲିଆଗୁଡ଼ା ଗ୍ରାମରେ ପାଦ ରଖିଲେ ଝରୀଗାଁ ବିଧାୟକ ନରସିଂହ ଭତରା; ଉତ୍ସାହର ସହ ସ୍ୱାଗତ କଲେ ଗ୍ରାମବାସୀ।"
ଝରିଗାଁ, ୨୬/୦୭ (ନକୁଲ ଭତରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଚଚା ପଞ୍ଚାୟତର ଗୋବାଗୁଡ଼ା ସତୀଘାଟ ସ୍ଥଳ ଏବଂ ପର୍ଲିଆଗୁଡ଼ା ଠାରୁ ପାଳିଆ ଯିବା ରାସ୍ତାର ସ୍ଥିତି ଶନିବାର ଦିନ ଝରୀଗାଁ ବିଧାୟକ ଶ୍ରୀ ନରସିଂହ ଭତରା ପରିଦର୍ଶନ କରିଛନ୍ତି।ସ୍ୱାଧୀନତା ପରେ ପ୍ରଥମଥର ପାଇଁ ଜଣେ ବିଧାୟକ ପର୍ଲିଆଗୁଡ଼ା ଗ୍ରାମକୁ ଗସ୍ତ କରିବାରୁ ଗ୍ରାମବାସୀଙ୍କ ମଧ୍ୟରେ ବ୍ୟାପକ ଉତ୍ସାହ ଦେଖାଦେଇଥିଲା।ଏହି ଅବସରେ ବିଧାୟକ ଶ୍ରୀ ଭତରା ଦଳୀୟ କାର୍ଯ୍ୟକର୍ତ୍ତା ଓ ଗ୍ରାମବାସୀଙ୍କ ସହ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ବିକାଶମୂଳକ ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ। ପର୍ଲିଆଗୁଡ଼ା ଗ୍ରାମ ବାସୀଙ୍କୁ ଭେଟି ସେମାନଙ୍କ ଦୀର୍ଘଦିନର ମୌଳିକ ସମସ୍ୟା ବିଷୟରେ ପଚାରି ବୁଝିଥିଲେ।ପର୍ଲିଆଗୁଡ଼ା-ପାଳିଆ ରାସ୍ତାର ସ୍ଥିତି ସମୀକ୍ଷା କରି ରାସ୍ତାର ବିକାଶ ଓ ଗ୍ରାମବାସୀଙ୍କ ସମସ୍ୟାର ଶୀଘ୍ର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବିଧାୟକ ଆଶ୍ୱାସନା ଦେଇଥିଲେ।ସେହିପରି ଗୋବାଗୁଡ଼ା ସତୀଘାଟ ଡ୍ୟାମ୍ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ପ୍ରକଳ୍ପକୁ ନେଇ ରହିଥିବା ସମସ୍ୟାର ସମାଧାନ ଏବଂ ଏହାର ଉପଯୋଗିତା ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ। ବିକାଶ ଓ ଲୋକଙ୍କ ମୌଳିକ ସୁବିଧା ସୁନିଶ୍ଚିତ କରିବା ସହ ଗରିବ ଓ ଅବହେଳିତ ଲୋକଙ୍କ ହିତରେ ସରକାର ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ ବୋଲି ବିଧାୟକ ଶ୍ରୀଭତରା ପ୍ରକାଶ କରିଥିଲେ। ଏହି ଅବସରରେ ସାଂସଦ ପ୍ରତିନିଧି ଚନ୍ଦ୍ର ଭାନୁ ନାୟକ, ବିଧାୟକ ପ୍ରତିନିଧି ଗଣପତି ସାହୁ, ମହେଶ୍ୱର ତିୱାରୀ, ପ୍ରଫୁଲ ପ୍ରଧାନୀ ପିତାମ୍ବର ପୂଜାରୀ ଗୋପୀନାଥ ଗୌଡ଼ ଓ ଅନ୍ୟ କର୍ମୀ ମାନେ ଉପସ୍ଥିତ ଥିଲେ