କବି ଗୌରାଙ୍ଗ ପ୍ରଧାନଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ଓ ସାହିତ୍ୟ ସମ୍ମିଳନୀ
ନୟାଗଡ଼, ୨୬/୦୭ ( ସୁଧିର କୁମାର ଦାସ ) : ନୟାଗଡ଼ ଜିଲ୍ଲା ସରଣକୁଳ ନିକଟସ୍ଥ ବାଉଁଶିଆ ଆଶ୍ରୟଠାରେ ବିଶିଷ୍ଟ କବି, ସାହିତ୍ୟିକ, କଳାକାର, ସମାଜସେବୀ ତଥା ଜନପ୍ରିୟ ରାଜନେତା ସ୍ୱର୍ଗତ ଗୌରାଙ୍ଗ ପ୍ରଧାନଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା, ସାହିତ୍ୟ ସମ୍ମିଳନୀ ଓ ସ୍ମୃତି ସମ୍ମାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସୂଚନା ଅନୁସାରେ, ବାଉଁଶିଆ ଆଶ୍ରୟ ପରିସରରେ ସ୍ୱର୍ଗତ ଗୌରାଙ୍ଗ ପ୍ରଧାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଜଣେ କବି, ସାହିତ୍ୟିକ, କଳାକାର, ବରିଷ୍ଠ ସାମ୍ବାଦିକ ଓ ସମାଜସେବୀ ଭାବେ ସେ ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସମାଜର ବିଭିନ୍ନ କ୍ଷେତ୍ରରେ ସକ୍ରିୟ ଭାବେ ଜଡ଼ିତ ରହି ସେ ଅନେକଙ୍କ ପାଇଁ ପ୍ରେରଣାର ସ୍ରୋତ ପାଲଟିଥିଲେ। ଏହି ଅବସରରେ ଜିଲ୍ଲାର ବହୁ ବିଶିଷ୍ଟ କବି, ସାହିତ୍ୟିକ ଓ ବୁଦ୍ଧିଜୀବୀ ଉପସ୍ଥିତ ରହି ସ୍ୱର୍ଗତ ଗୌରାଙ୍ଗ ପ୍ରଧାନଙ୍କ ସାହିତ୍ୟ, ସାମାଜିକ ଓ ସାଂସ୍କୃତିକ ଅବଦାନ ଉପରେ ଆଲୋକପାତ କରିଥିଲେ। କବି ଶରତ ଚନ୍ଦ୍ର ଷଡଙ୍ଗୀ, ବଂଶୀଧର ମହାପାତ୍ର, ନୀଲମ ନନ୍ଦଙ୍କ ସହ ବହୁ ବିଶିଷ୍ଟ ଅତିଥି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ମୃତି ସଭା ଅବସରରେ ସାହିତ୍ୟ ସମ୍ମିଳନୀ ଏବଂ ସ୍ମୃତି ସମ୍ମାନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ସ୍ୱର୍ଗତ ଗୌରାଙ୍ଗ ପ୍ରଧାନଙ୍କ ଆଦର୍ଶ ଓ ସୃଜନଶୀଳ ଅବଦାନ ଆଗାମୀ ପିଢ଼ି ପାଇଁ ସଦା ପ୍ରେରଣାଦାୟକ ହୋଇ ରହିବ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।