ଲଗାଣ ବର୍ଷାରେ ଭୁଶୁଡ଼ିଲା ମାଟି ଘର, ଅଳ୍ପକେ ବର୍ତ୍ତିଲେ ଦମ୍ପତି
ଜୟପାଟଣା, ୨୭/୦୮ ( ରିତେଶ କୁମାର ମୁଣ୍ଡ ) : ଶୋଇଥିବା ବେଳେ ଘର ଭୁଶୁଡ଼ି ଦୁଇ ପ୍ରାଣୀ ଚାପି ହୋଇଗଲେ, ଜଣେ ଭବାନୀପାଟଣା ସ୍ଥାନାନ୍ତର, ଲଗାଣ ବର୍ଷା ଯୋଗୁଁ ଭୁଶୁଡ଼ିଲା ମାଟି ଘର। ଅଳ୍ପକେ ବର୍ତ୍ତିଲେ ଦମ୍ପତି। ଶୋଇଥିବା ସମୟରେ ହଠାତ୍ ଘର ଭୁଶୁଡ଼ି ପଡ଼ିବାରୁ ଦୁଇ ପ୍ରାଣୀ ମାଟି ତଳେ ଚାପି ହୋଇଯାଇଥିଲେ। ପରେ ପଡ଼ୋଶୀମାନେ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବାଣ୍ଡି ଗାଁରେ ଘଟିଛି ଏଭଳି ଅଘଟଣ। ପ୍ରାଥମିକ ସୂଚନା ଅନୁସାରେ, ଲଗାଣ ଲଘୁଚାପଜନିତ ବର୍ଷାରେ ଗତରାତି ପ୍ରାୟ ୧୦ଟା ୩୦ ସମୟରେ ଟଙ୍କଧର ପାଣିଗ୍ରାହୀ ଓ ତାଙ୍କ ସ୍ତ୍ରୀ ମିଥିଲା ପାଣିଗ୍ରାହୀ ଘରେ ଶୋଇଥିବା ବେଳେ ହଠାତ୍ ମାଟି ଘରଟି ଭୁଶୁଡ଼ି ପଡ଼ିଥିଲା। ଘର ଭୁଶୁଡ଼ିବାରୁ ଦୁଇଜଣ ମାଟି ତଳେ ଚାପି ହୋଇଯାଇଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ପଡ଼ୋଶୀମାନେ ତୁରନ୍ତ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ। ପରେ ଉଭୟଙ୍କୁ କଳମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ ଟଙ୍କଧର ପାଣିଗ୍ରାହୀଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ ପରବର୍ତ୍ତୀ ସମୟରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ପ୍ରାଥମିକ ସୂତ୍ରରୁ ଜଣାପଡ଼ିଛି। ଏପଟେ ଲଗାଣ ବର୍ଷା ଯୋଗୁଁ ମାଟି ଘରେ ରହୁଥିବା ପରିବାରଗୁଡ଼ିକ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ଜୟପାଟଣା ଅଞ୍ଚଳରେ ମଧ୍ୟ ଭାରୀ ବର୍ଷାର ପ୍ରଭାବ ରହିଥିବା ନେଇ ସମ୍ପ୍ରତି ରିପୋର୍ଟ ଆସିଛି।