ବାଲ୍ୟ ବିବାହ ମୁକ୍ତ ସୁବର୍ଣ୍ଣପୁର ଗଠନ ପାଇଁ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ଗଠିତ
ସୁବର୍ଣ୍ଣପୁର, ୨୦/୦୮ ( ଜଗଦୀଶ ମେହେର ) : ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା ଉପରେ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଆୟୋଜିତ ଏହି ବୈଠକରେ ବାଲ୍ୟ ବିବାହ ରୋକିବା ପାଇଁ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନେଇ ଏକ ଟାସ୍କ ଫୋର୍ସ ଗଠନ କରାଯାଇଛି। ପ୍ରଥମେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବୀଣାପାଣି ମିଶ୍ର ସ୍ୱାଗତ ଭାଷଣ ରଖିଥିଲେ । ବୈଠକରେ ସମ୍ପୃକ୍ତ ବିଭାଗଗୁଡ଼ିକ ନିଜ ନିଜ ଦାୟିତ୍ୱ, ଏ ପର୍ଯ୍ୟନ୍ତ ଗ୍ରହଣ କରାଯାଇଥିବା ପଦକ୍ଷେପ ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ସହ ପ୍ରତ୍ୟେକ ଝିଅ ଶିକ୍ଷା ଲାଭ କରି ଆତ୍ମନିର୍ଭରଶୀଳ ହୋଇପାରିବେ, ତାହା ସୁନିଶ୍ଚିତ କରିବା ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଲିଙ୍ଗାନୁପାତରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା। ପୋଲିସ ଏବଂ ସାଇବର ସୁରକ୍ଷା ସମ୍ପର୍କରେ ଡିଏସ୍ପି ରେଣୁକା ସୁନା ଆଲୋକପାତ କରିଥିଲେ। ସେହିପରି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସ ଜିଲ୍ଲାରେ ବାଲ୍ୟ ବିବାହ ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପ, ଉତ୍କଳ ବାଳାଶ୍ରମର ଶିଶୁମାନଙ୍କ ବାହାର ରାଜ୍ୟରେ ନିଯୁକ୍ତି ସୁଯୋଗ ଏବଂ ସରକାରଙ୍କ ବିଭିନ୍ନ ଯୋଜନା ଓ ପଦକ୍ଷେପ ମାଧ୍ୟମରେ ଶିଶୁମାନଙ୍କୁ ସ୍ୱାବଲମ୍ବୀ କରିବା ସମ୍ପର୍କରେ ଅବଗତ କରାଇଥିଲେ। ଏହାସହ ସୋସିଆଲ ମିଡିଆ ଏବଂ ଲୋକକଳା ମାଧ୍ୟମରେ ବାଲ୍ୟ ବିବାହ ସମ୍ପର୍କିତ ଜନସାଧାରଣଙ୍କ ଚିନ୍ତାଧାରାରେ କିପରି ସକାରାତ୍ମକ ପରିବର୍ତ୍ତନ ଅଣାଯାଇପାରିବ, ସେ ସମ୍ପର୍କରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରୀତି ସୁନା ଆଲୋକପାତ କରିଥିଲେ। ବୈଠକକୁ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ସୁରକ୍ଷା ଅଧିକାରୀ ଅଞ୍ଜନା କିସାନ ପରିଚାଳନା କରିଥିଲେ। ବୈଠକରେ ବିଭିନ୍ନ ସମ୍ପୃକ୍ତ ବିଭାଗର ଅଧିକାରୀ ଓ ପ୍ରତିନିଧିମାନେ ଉପସ୍ଥିତ ଥିଲେ।