କଳାହାଣ୍ଡି, ୨୦/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅଞ୍ଚଳର ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ହାଇଦ୍ରାବାଦର ଏକ ବସ୍ କାଉଣ୍ଟରରେ ନିର୍ଯାତନା ଦେବା ସହ ମାଡ଼ ମାରି ଟଙ୍କା ଛଡ଼ାଇ ନେଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏନେଇ ଆଜି ଗୁରୁବାର ସକାଳ ପ୍ରାୟ ୧୦ଟା ସମୟରେ ଶ୍ରମିକମାନେ କଳାହାଣ୍ଡି ଜିଲ୍ଲା ଆମପାଣି ଥାନାରେ ସଙ୍ଗୀନ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ଗତକାଲି ହାଇଦ୍ରାବାଦ ବସ୍ କାଉଣ୍ଟରରେ ୨୯ ଜଣ ଯାତ୍ରୀଙ୍କ ଟିକେଟ୍ କରାଯିବା ପରେ କାଉଣ୍ଟର କର୍ମଚାରୀମାନେ ସେମାନଙ୍କୁ ଏକ ରୁମ୍କୁ ନେଇଯାଇଥିଲେ। ସେଠାରେ ଟଙ୍କା ଛଡ଼ାଇ ନେବା ସହ ମାଡ଼ ମାରିଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ, ଟିକେଟ୍ ଅନୁଯାୟୀ ବସ୍ଟି ୨୯ ଜଣ ଯାତ୍ରୀଙ୍କୁ ନୂଆପଡ଼ା ଜିଲ୍ଲା ସିନାପାଲି ନେଇ ଛାଡ଼ିବା କଥା। କିନ୍ତୁ ସେମାନଙ୍କୁ ଆମପାଣିଠାରେ ଛାଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ଏହାପରେ ଘଟଣାଟି ସାମ୍ନାକୁ ଆସିଛି। ସମ୍ପୃକ୍ତ ଯାତ୍ରୀମାନେ ନୂଆପଡ଼ା ଜିଲ୍ଲା ସିନାପାଲି ଏବଂ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଅଞ୍ଚଳର ବୋଲି ଜଣାପଡ଼ିଛି। ଘଟଣା ପରେ ଆମପାଣି ପୋଲିସ ବସ୍ଟିକୁ ଥାନାକୁ ନେଇ ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ଅଭିଯୋଗର ସତ୍ୟତା ଏବଂ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ପରବର୍ତ୍ତୀ ପଦକ୍ଷେପ ସ୍ପଷ୍ଟ ହେବ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
